ଓଡ଼ିଶାଲାଇଭ ବ୍ୟୁରୋ

ଭୁଶୁଡି ପଡିଛି ଭୁବନେଶ୍ୱର କଟକ ରୋଡରେ ନିର୍ମାଣାଧିନ ଫ୍ଳାଏ ଓଭର। ରସୁଲଗଡ଼ରୁ ବିମଖାଲ ଓ ବମିଖାଲରୁ ସହିଦନଗର ଯାଏ ନିର୍ମାଣ ହେଉଥିବା ଏହି ଓଭରବ୍ରିଜର କିଛି ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଆହତମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଗୁରତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ରିଜ ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।
କମିସନରରେଟ୍ ପୁଲିସ, ଦମକଳ ବାହିନୀର ୫୦ ଜଣ କର୍ମଚାରୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଛି। କ୍ରେନ ଯୋଗେ ଭାଙ୍ଗି ପଡିଥିବା କଂକ୍ରିଟକୁ ହଟାଯାଉଛି। ଓଡ୍ରାଫ ଟିମ୍ ମଧ୍ୟ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ବ୍ରିଜ୍ ଭୁଶୁଡିବା ସମୟରେ ୩୦ ଫୁଟ ଉପରେ କିଛି ଶ୍ରମିକ ବ୍ରିଜ ଉପରେ କାର୍ଯ୍ୟ କରୁଥିଲେ। କାମ କରୁଥିବା ଶ୍ରମିକ ଏବଂ ରାସ୍ତାରେ ଯାଉଥିବା ଲୋକ ଆହତ ହୋଇଛନ୍ତି। ମୃତ ସତ୍ୟ ପଟ୍ଟନାୟକଙ୍କ ଘର ସ୍ଥାନୀୟ ଝାରପଡ଼ା ଅଂଚଳରେ। ସେ ତାଙ୍କ ଝିଅକୁ ଡ୍ୟାନ୍ସ ସ୍କୁଲକୁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତ କୁନି ଝିଅକୁ ଏମସରେ ଭର୍ତ୍ତି କରାଯାଇଛି।
ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି। କିଛି ବର୍ଷ ହେଲା ଏହି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଛି। ନିମ୍ନମାନର କାର୍ଯ୍ୟ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସିଛି। ପୂର୍ତ୍ତବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି।

Tags: Media,construction work, rescue operation, tragic incident, Bomikhal Overbridge, Bomikhal Overbridge Collapse, Overbridge Collapse, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

1 COMMENT

Comment