ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଶୁଡିବାକୁ ନେଇ ସୋମବାର ବିଧାନସଭାରେ ଦିନ ତମାମ୍ ତାତି ଦେଖିବାକୁ ମିଳିଛି। ବିରୋଧୀ କଂଗ୍ରେସ, ବିଜେପି ଏହାକୁ ନେଇ ଗୃହ ଅଚଳ କରିଥିବା ବେଳେ ଗୃହ ବାହାରେ ବି ଝଡ ସୃଷ୍ଟି ହୋଇଥିଲା। ବିଜେପି ସିଧାସଳଖ ପଣ୍ଡା ଇନଫ୍ରା ସହ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ କରିବା ପରେ ମାହୋଲ ଗରମ ହୋଇଯାଇ ଥିଲା।
ଶନି ଓ ରବିବାର ଛୁଟି ପରେ ସୋମବାର ଆରମ୍ଭ ହୋଇଥିଲା ବିଧାନସଭାର ମୌସୁମୀ ଅଧିବେଶନ। ହେଲେ ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ତାତି ଭରି ଯାଇଥିଲା। ପ୍ରସଙ୍ଗ ଥିଲା ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା। ଏହି ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଶାସକ ଦଳକୁ ଘେରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ।
ବିରୋଧୀଙ୍କ ହୋ-ହଲ୍ଲା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବମିଖାଲ ଦୁର୍ଘଟଣା ଉପରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କହି ଚାଲିଥିଲେ। ହେଲେ ବିରୋଧୀ ଏହାକୁ ଶୁଣିବାକୁ ନାରାଜ ଥିଲେ। ବିରୋଧୀ ଦଳର ସଦସ୍ୟମାନେ ଗୃହର ମଝି ଭାଗକୁ ଉଠି ଆସି ନାରାବାଜି ଦେଇଥିଲେ। ଗୃହ କାର୍ଯ୍ୟ ଚାଲୁ ରଖିବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଯେତେ ଚେଷ୍ଟା କରିଥିଲେ ବି ବିରୋଧୀ ଶୁଣି ନ ଥଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଯାଇ ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିବାରୁ ବାଚସ୍ପତି ପ୍ରଥମେ ୧୧ଟା ୩୬ ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ। ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଶା କରାଯାଉଥିଲା ଗୃହ ସ୍ୱାଭାବିକ ଢ଼ଙ୍ଗରେ ଚାଲିବ। ହେଲେ ବିରୋଧୀ ବମିଖାଲ ପ୍ରସଙ୍ଗକୁ ଛାଡି ନ ଥିଲେ।
ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହୋ-ହଲ୍ଲା ଜାରି ରଖିବାରୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ।
ଏପଟେ ଗୃହରେ ବମିଖାଲ ତାତି ଜୋର୍ ଧରିଥିବା ବେଳେ ଗୃହ ବାହାରେ ବି ମାହୋଲ କିଛି କମ୍ ନ ଥିଲା। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ‘ପଣ୍ଡା ଇନଫ୍ରା’ କମ୍ପାନୀ ସହ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଘଟଣାକୁ ଆହୁରି ଉଷ୍ମ କରି ଦେଇଥିଲେ।
ପ୍ରଦୀପ ପୁରୋହିତ କହିଛନ୍ତି, ”ପଣ୍ଡା ଇନଫ୍ରା ହେଉଛି ଏକ ବ୍ଲାକ ଲିଷ୍ଟେଡ କମ୍ପାନୀ। ଏହି କମ୍ପାନୀରେ ପୂର୍ବତନ ଆଇନ୍ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ରହିଛି। ଯେଉଁଥିପାଇଁ ସରକାର ଏହି କମ୍ପାନି ଅନୁକମ୍ପା ଦେଖାଇ ଆସୁଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣା ପାଇଁ ଇସ୍ତଫା ଦେବା ସହ ଶ୍ରୀ ସାହୁଙ୍କ ସଂପୃକ୍ତି ଏଥିରେ ଅଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ।”
ବିଜେପି ବିଧାୟକ ଶ୍ରୀ ପୁରୋହିତଙ୍କ ଅଭିଯୋଗ ଉପରେ ଅରୁଣ ସାହୁ ମତ ରଖିଛନ୍ତି। କହିଛନ୍ତି, ”ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି। ସେମାନେ ବୁଝିବା ଦରକାର ଯେ କୌଣସି ଲାଭଜନକ ସଂସ୍ଥାରେ ରହି ନିର୍ବାଚନ ଲଢ଼ି ହୁଏ ନାହିଁ। ଏହାସହ ମୋର କୌଣସି ଲାଭଜନକ ସଂସ୍ଥା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତି ନାହିଁ। ଯଦି ବିଜେପି ସଭ୍ୟଙ୍କ ପାଖରେ କିଛି ତଥ୍ୟ ଅଛି ତାହାଲେ ଏହାକୁ ଦେଇ ମୋର ସଦସ୍ୟତା ପଦକୁ ରଦ୍ଦ କରିବାକୁ ଉଦ୍ୟମ କରନ୍ତୁ।”

Tags: Arun Sahoo, BJD, BJP, Assembly, Odisha Assembly, Accident, Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, Panda Infra, Pratap Kishore Panda, Pratap Panda, rescue operation, Top Stories, tragic incident

Comment