ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପାପା କୁଆଡେ ଗଲେ’, ଏମ୍‌ସ ହସପିଟାଲରେ ପଚାରୁଛି ଶୀତଲ। ଏବେ ଶୀତଲ ବିପଦମୁକ୍ତ ଅଛି। ହେଲେ ହୋସ ଆସିବା ପରଠାରୁ ଯେଉଁମାନେ ହସପିଟାଲକୁ ଯାଉଛନ୍ତି ସମସ୍ତଙ୍କୁ ୮ ବର୍ଷର ଝିଅ ଶୀତଲର ସେହି ଗୋଟିଏ ପ୍ରଶ୍ନ – “ପାପା କାହାଁନ୍ତି?”
ସମସ୍ତେ ତାକୁ ଉତ୍ତର ଦେଉଛନ୍ତି, “ପାପା ବାହାରେ ଅଛନ୍ତି।”
ଏହି ଉତ୍ତର ସିନା କୁନି ଝିଅକୁ ଦେଇ ତାକୁ ଭୁଲାଇବାକୁ ଚାହୁଁଛନ୍ତି, ହେଲେ ସତ୍ୟବ୍ରତଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ଆଖିରୁ ଦୁଇ ଦିନ ଧରି ଲୁହ ଶୁଖୁନି।
ରବିବାର ଦିନ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଶୁଡ଼ି ପଡ଼ିଥିଲା ସତ୍ୟବ୍ରତ ପଟ୍ଟନାୟକ ଓ ତାଙ୍କ ଝିଅ ଶୀତଲଙ୍କ ଉପରେ। ଦୁର୍ଘଟଣା ସମୟରେ ସହିଦନଗରରୁ ଝିଅକୁ ଡ୍ୟାନ୍ସ କ୍ଲାସରୁ ଆଣୁଥିଲେ ସତ୍ୟବ୍ରତ। ରବିବାର, ବାପାଙ୍କ ସ୍କୁଟରରେ ବେଶ ଖୁସିରେ ବସିଥିଲା ଶୀତଲ। କେତେ କଥା କହୁଥିଲା। ବାଟରେ କେତେ କ’ଣ ପଚାରୁଥିଲା। ଘରେ କ’ଣ ଆଜି ସ୍ପେଶାଲ ଆଇଟମ୍ ହୋଇଛି? ଏମିତି କେତେ କ’ଣ।
ଆଉ ମାତ୍ର କେତେ ମିନିଟ ଭିତରେ ସେମାନେ ଘରେ ପହଁଚିଥାନ୍ତେ। ସାଙ୍ଗ ହୋଇ ସମସ୍ତେ ଏକାଠି ଖାଇଥା’ନ୍ତେ। ହେଲେ ବିଧି ଆଉ କିଛି ଲେଖିଥିଲା। ବମିଖାଲ ରାସ୍ତାରେ ବାପ-ଝିଅଙ୍କ ଉପରେ ଓଜାଡ଼ି ହୋଇପଡ଼ିଲା ଓଭରବ୍ରିଜ ସ୍ଲାବ।
ସ୍ଥାନୀୟ ଲୋକ ଯେଉଁମାନେ ଦୁର୍ଘଟଣା ସମୟରେ ଉପସ୍ଥିତ ଥିଲେ, ସେମାନେ ଯାହା କହନ୍ତି, ଜାଣିଲେ ଯେକୌଣସି ବ୍ୟକ୍ତିର ଛାତି ଥରି ଉଠିବ। ଆଖିରୁ ଛାଆଁକୁ ଛାଆଁ ଲୁହ ଝରି ଆସିବ।
ଯେତେବେଳେ ଲୁହା ଆଙ୍ଗେଲ ପ୍ରଥମେ ସତ୍ୟବ୍ରତଙ୍କ ଉପରେ ପଡ଼ିଲା, ଝିଅ ଶୀତଲକୁ ରକ୍ଷା କରିବା ପାଇଁ ସେ ବ୍ୟସ୍ତ ହୋଇଉଠିଲେ। କାଳେ ଝିଅ ଦେହରେ ଆଘାତ ଲାଗିବ ହାତ ଦେଖାଇ ଲୁହା ଛଡ଼କୁ ଅଟକାଇବାକୁ ଲାଗିଲେ। କିନ୍ତୁ ଏସବୁ ଘଟିଯାଉଥାଏ ଆଖି ପିଛୁଲାକ ସମୟ ଭିତରେ। ଘଟଣା ଏତେ ଆକସ୍ମିକ ଥିଲା ଯେ ବିଶେଷ କିଛି ଭାବିବା ପୂର୍ବରୁ ଗଦାଏ ଲୁହା ପଡ଼ିଗଲା ସତ୍ୟବ୍ରତ ଓ ତାଙ୍କ ଝିଅ ଉପରେ।
ଝିଅ ଶୀତଲ ସେତେବେଳେ ଅତି ଭୟଭୀତ ହୋଇ ବାପାକୁ ଜୋରରେ ଜାବୁଡି ଧରିଥାଏ। ତା’ ଦେହକୁ ସୁରକ୍ଷା ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ସତ୍ୟବ୍ରତ। ହେଲେ ଲୁହା ମାଡ଼ରେ ଅଧିକ ସମୟ ତାଙ୍କର ଚେତା ରହିନଥିଲା। ମୁଣ୍ଡରେ ଏତେ ଜୋରରେ ଆଘାତ ଲାଗିଥିଲା ଯେ ପ୍ରବଳ ରକ୍ତସ୍ରାବ ହେଉଥିଲା। ସେ ସଂପୂର୍ଣ୍ଣ ଅବଶ ହେବା ଆଗରୁ ଝିଅକୁ ବାହାରକୁ ନେଇଯିବାକୁ ଲୋକଙ୍କୁ ଠାରିଥିଲେ। ଶୀତଲ ମଧ୍ୟ ସେତେବେଳକୁ ବେହୋସ ହୋଇଯାଇଥିଲା। ଯେଉଁମାନେ ଏହି ଦୁଃଖଦ ଘଟଣା ଦେଖୁଥିଲେ, କେହି ବି ଧୈର୍ଯ୍ୟ ଧରି ପାରିନଥିଲେ। ଭେଁ ଭେଁ ହୋଇ କେତେଜଣ କାନ୍ଦୁଥିବାର ଦେଖାଯାଇଥିଲା। ଏଭଳି ହୃଦୟ ବିଦାରକ ଦୃଶ୍ୟ ଜୀବନରେ କେବେ ଭୁଲି ପାରିବେନାହିଁ ବୋଲି କହିଛନ୍ତି ଜଣେ ବମିଖାଲ ବାସିନ୍ଦା, ଯିଏ ନିଜ ଆଖିରେ ସବୁ ଦେଖିଛନ୍ତି।
ମୃତ ସତ୍ୟବ୍ରତ ପଟ୍ଟନାୟକ, ଜଣେ ଯୁବ ବ୍ୟବସାୟୀ। ଭୁବନେଶ୍ୱର ଝରପଡ଼ାର ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ।  ନିଜ ପୈତୃକ ଘର କଟକ ସେଲଟର ଛକ। ବାପା ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ। ତିନି ପୁଅଙ୍କ ମଧ୍ୟରୁ ସବା ସାନ ଥିଲେ ସତ୍ୟବ୍ରତ। ତାଙ୍କର ଆଉ ଜଣେ ଭାଇ ମଧ୍ୟ ଅକାଳରେ ମୃତ୍ୟୁବରଣ କରିଥିଲେ। ଏବେ ଆଉ ଜଣେ ପୁଅକୁ ହରାଇବା ପରେ ତାଙ୍କ ବାପାମାଆଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି।
ସତ୍ୟବ୍ରତ ବ୍ରହ୍ମପୁର ୟୁନିଭରସିଟିରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ। ମେଧାବୀ ଛାତ୍ର ହୋଇଥିଲେ ବି ଚାକିରି ପଛରେ ନଦୌଡି ନିଜ ଉଦ୍ୟମରେ ବିଜିନେସ କରି ସଫଳତା ପାଇଥିଲେ। ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ତାଙ୍କର ପ୍ଲାଏଉଡ୍ ବ୍ୟବସାୟ ଚାଲିଥିଲା। ପାଖାପାଖି ୬୦ଟି ପରିବାରର ଚୁଲି ଜଳୁଥିଲା ତାଙ୍କ ପାଇଁ।
ସତ୍ୟବ୍ରତ ଜଣେ ଅତ୍ୟନ୍ତ ଭଲ ମଣିଷ ଥିଲେ ବୋଲି କହନ୍ତି ତାଙ୍କର ବନ୍ଧୁ ଓ ସାହି ପଡ଼ିଶା ଲୋକ।
ସତ୍ୟବ୍ରତ ଏବେ ଆରପାରିରେ, ଝିଅ ହସପିଟାଲରେ। ସତ୍ୟବ୍ରତଙ୍କ ପତ୍ନୀ ସୀମା ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯାହା ସବୁ ଘଟିଯାଇଛି ଏହି ଦୁଇ ଦିନ ଭିତରେ। କାହା ସହ କଥା ହେଉନାହାନ୍ତି, ପୂରା ନିଶ୍ଚଳ ହୋଇ ଝିଅ ପାଖରେ ବସି ରହିଛନ୍ତି। ଆଖିରୁ ଲୁହ ଶୁଖିବାର ନାଁ ନେଉନି।
ତାଙ୍କର ମନେ ପଡ଼ିଯାଉଛି, ଝିଅକୁ ଯେତେବେଳେ ଡ୍ୟାନ୍ସ କ୍ଲାସକୁ ନେଉଥିଲେ ସତ୍ୟବ୍ରତ, ବାପ-ଝିଅ ତାଙ୍କୁ ଥଟ୍ଟା କରିଯାଇଥିଲେ। ଗଲାବେଳେ ବାଲକୋନିରୁ ସେମାନଙ୍କୁ ହାତ ହଲାଇ ବିଦାୟ ଦେଇଥିଲେ ସୀମା।
ମଧ୍ୟାହ୍ଣ ପ୍ରାୟ ୧ଟା। ସତ୍ୟବ୍ରତଙ୍କ ଫୋନରୁ କଲ୍ ଆସିଲା ପତ୍ନୀ ସୀମାଙ୍କ ପାଖକୁ। କେହି ଜଣେ ତାଙ୍କୁ ଫୋନରେ କହିଲେ ଝିଅକୁ ଆମେ ହସପିଟାଲକୁ ନେଇଯାଉଛି, ତମେ ହସପିଟାଲକୁ ଆସ। ସୀମାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆଉ ହସପିଟାଲରେ ପହଞ୍ଚି ଦେଖିଲେ ତାଙ୍କର ପୂରା ଦୁନିଆ ଉଜୁଡି ଯାଇଛି।
ନିଜ ମନକୁ ନିଜେ ଅନେକ ପ୍ରଶ୍ନ ପଚାରି ଚାଲିଛନ୍ତି ସୀମା। କାହିଁକି ତାଙ୍କ ଜୀବନରେ ଏମିତି ଘଟିଲା? ହେଲେ ସୀମାର ଏହି ପ୍ରଶ୍ନର ଉତ୍ତର କିଏ ଦେବ?
କାହିଁକି ଭାଙ୍ଗିଲା ଓଭରବ୍ରିଜ? ଏନେଇ ତଦନ୍ତ ଆରମ୍ଭ ହୋଇଛି। ହୁଏତ ସରକାର ଦୋଷୀକୁ କାଠଗଡ଼ାକୁ ଆଣିବେ, ହୁଏତ ଦୋଷୀ ବିରୋଧରେ କଠୋର ଦଣ୍ଡବିଧାନ ହୋଇପାରେ; ଏପରି ବି ହୋଇପାରେ, ଦୋଷୀ ଯେମିତି ପୂର୍ବରୁ ରାଜନୈତିକ ପୃଷ୍ଠପୋଷକତାରେ ଠିକାକାମ ହାତେଇଥିଲା, ସେମିତି ନେତା, ମନ୍ତ୍ରୀଙ୍କ ସହାୟତାରେ ଏହି ମାମଲାରୁ ଖସିଯିବ।
ହେଲେ ଗୋଟିଏ କଥା ନିଶ୍ଚିତ ସତ ଯେ ଶୀତଲକୁ ଆଉ ତା’ ବାପାଙ୍କ ସ୍ନେହ ମିଳିବନି। ଆଉ କେବେ ବି ବାପାଙ୍କ ସହ ସ୍କୁଟରରେ ବସି ସେ ଡ୍ୟାନ୍ସ କ୍ଲାସକୁ ଯାଇପାରିବନି। ସମ୍ଭବତଃ ଆଉ କେବେ ଜୀବନରେ ଡ୍ୟାନ୍ସ ବି ଶିଖିନପାରେ।
ଏମିତି କାହିଁକି ହେଲା? କ’ଣ ତା’ର ଭୁଲ? ଏତେ ଦୁଃଖ ତା’ ଜୀବନରେ କାହିଁକି ଆସିଲା?
ଏସବୁ ପ୍ରଶ୍ନ ବହୁତ ଜଟିଳ। ଏହାର ଉତ୍ତର ଯଦି ଜଣେ ଦେଇପାରିବ, ତେବେ ପୂରା ବ୍ୟବସ୍ଥାର ବାସ୍ତବ ରୂପ ସମସ୍ତଙ୍କ ସାମନାକୁ ନିଶ୍ଚିତ ଆସିଯିବ।

Tags: Sheetal, Satyabrata Pattanaik, Accident, Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, Panda Infra, Pratap Kishore Panda, Pratap Panda, rescue operation, Top Stories, tragic incident, Y B Khurania

1 COMMENT

  1. God bless you Seetal. Have courage to face the situation. Every life is so precious. I hope, this will not be repeated with others. God give courage to all your family members too.

Comment