ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ୍ ମାଲିକ ତଥା ମ୍ୟାନେଜିଂ ଡିରେକ୍ଟର ପ୍ରତାପ କିଶୋର ପଣ୍ଡା। ଭୁବନେଶ୍ୱର ଡିସିପି ଅଫିସରେ ସୋମବାର ଅପରାହ୍ନରେ ସେ ଆତ୍ମସମର୍ପଣ କରିବା ପରେ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି।
ପ୍ରତାପଙ୍କ ବିରୋଧରେ ଆଇପିସି ୩୦୪, ୩୦୭, ୩୨୯ ଦଫା ଲାଗିଛି। ସୋମବାର ପୂର୍ବାହ୍ନରେ ପ୍ରତାପଙ୍କ ସମେତ କମ୍ପାନୀର ଦୁଇ ଡିରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ପୋଲିସ ମାମଲା ରୁଜ୍ଜୁ କରିଥିଲା। ଏମାନଙ୍କ ନାଁରେ ୨୮୪, ୩୦୪, ୩୩୭, ୩୩୮, ୩୪ ଆଇପିସି ଦଫାରେ ମାମଲା ରୁଜୁ କରି ପୋଲିସ ଘଟଣାର ଛାନ୍‌ଭିନ୍‌ କରିଥିଲା।
ଏପରିକି ଏମାନଙ୍କୁ ଧରିବା ପାଇଁ ଆବଶ୍ୟକ ପଡିଲେ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରାଯିବ ବୋଲି ପୋଲିସ କମିଶନର ୱାଇ.ବି.ଖୁରାନିଆ କହିଥିଲେ। ଏହାର ଦୁଇ ଘଣ୍ଟା ପରେ ପ୍ରତାପ ଭୁବନେଶ୍ୱର ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଡିରେକ୍ଟର ସୁଜାତା ଓ ସନ୍ତୋଷଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଏହାସହ ସହକାରୀ ଯନ୍ତ୍ରୀ ବଂଶୀଧର ପ୍ରହରାଜଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ରାଉତଙ୍କୁ ପୋଲିସ ଖୋଜୁଛି। ବ୍ରିଜ ଭୁଶୁଡିବା ପରେ କିଶୋର ଫେରାର୍ ହୋଇ ଯାଇଥିବା ସନ୍ଦେହ କରାଯାଉଛି।
ଏପଟେ ଓଭରବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ଚିଫ୍ ଇଞ୍ଜିନିୟର ଡିଜାଇନ୍ ଓ ଚିଫ୍ ଇଞ୍ଜିନିୟର ରୋଡ୍‌ସ ଏହି ତଦନ୍ତ କରିବେ। ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଏମାନଙ୍କୁ କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହନ୍ତି, ” ଓଭରବ୍ରିଜ ଭୁଶୁଡିବା ଘଟଣାରେ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ରବିବାର ଏହି ଦୁର୍ଘଟଣା ଘଟିଥିଲା। ପୋଲିସ, ଦମକଳ ବାହିନୀ, ଓଡ୍ରାଫ୍ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏହାସହ ଘଟଣାର ତଦନ୍ତ ଜାରି ରହିଛି। ଘଟଣାରେ ଯିଏ ଦୋଷୀ ହୋଇଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ରବିବାର ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ବ୍ରିଜର କଟକ ରୋଡ ପଟୁ ଢ଼ଳେଇ ପଡୁଥିବା ବେଳେ ଏହା ଭୁଶୁଡି ପଡିଥିଲା। ଫଳରେ ବାଇକ-ଆରୋହୀ ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଏଥିରେ ସତ୍ୟବ୍ରତଙ୍କ ଝିଅ ଶୀତଲ ଗୁରୁତର ହୋଇଥିଲେ।  ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ ୨ ଜଣ ଯନ୍ତ୍ରୀ ବଂଶୀଧର ପ୍ରହରାଜ ଓ କିଶୋର ରାଉତଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ନିଲମ୍ବନ କରାଯାଇଛି।
ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେବାରୁ ୫ ଜଣକ ନାଁରେ ମାମଲା ରୁଜ୍ଜୁ କରିଥିଲା କମିଶନରେଟ୍ ପୋଲିସ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ମାମଲା କରାଯାଇଥିଲା।
ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ, ବ୍ରିଜ ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନଫ୍ରାର ୩ ବୋର୍ଡ ଡାଇରେକ୍ଟରର୍ସଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା।
ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। କାହିଁକି ଏଭଳି ଘଟଣା ଘଟିଲା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: Panda Infra, Pratap Panda, Pratap Kishore Panda, Y B Khurania, Accident, Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

Comment