ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ସକାଳେ ବମିଖାଲଠାରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା ବେଳକୁ ବେଳ ସଙ୍ଗୀନ ହେବାକୁ ଲାଗିଛି| ପୋଲିସ ପକ୍ଷରୁ ଏକ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଇଛି ଓ ଏନେଇ କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି|
ସହିଦ ନଗରଠାରେ ଏହି ୧.୬ କିମି ଓଭର ବ୍ରିଜ ନିର୍ମାଣ ପାଇଁ ପଣ୍ଡା ଇନ୍‌ଫାଷ୍ଟ୍ରକ୍ଚରକୁ କାର୍ଯ୍ୟ ନିର୍ଦ୍ଦେଶ ମିଳିଥିଲା। ଏମିତି ଦେଖିବାକୁ ଗଲେ ପ୍ରକଳ୍ପଟି ସମ୍ପୁର୍ଣ୍ଣ ହେବା ତ ଦୂରର କଥା ଏହା ୪ ବର୍ଷ ବିଳମ୍ବରେ ଚାଲିଥିଲା। ଆହୁରି ମଧ୍ୟ ଠିକାଦାରଙ୍କ ପକ୍ଷରୁ ଠିକ୍‍ ଭାବରେ କାର୍ଯ୍ୟ ହୋଇ ନଥିବା ଅଭିଯୋଗ ହୋଇଛି। କାମ କରୁଥିବା ବେଳେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ଦୁର୍ଘଟଣା ଘଟି ନଥା’ନ୍ତା ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା।
ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ଓଡିଶାଲାଇଭକୁ କହିଛନ୍ତି ଯେ ମୂଳ ଯୋଜନା ଅନୁସାରେ ଏହି ଫ୍ଲାଏଓଭରଟି କେବଳ ରସୁଲଗଡ଼ ଓ ସହିଦ ନଗରକୁ ଯୋଡ଼ିଥା’ନ୍ତା। ପରେ କିନ୍ତୁ ମୂଳ ନକ୍ସାର ପରିବର୍ତ୍ତନ କରାଯାଇ ବମିଖାଲକୁ ତୃତୀୟ ରାସ୍ତା ଖୋଲିବା ପାଇଁ ନିଷ୍ପତ୍ତି ନେଲେ ପୂର୍ତ୍ତ ଓ ରେଳ ବିଭାଗ।
ରେଳ ବିଭାଗ ଓ ପୂର୍ତ୍ତ ବିଭାଗର ମିଳିତ ପ୍ରକଳ୍ପ ଏହି ଓଭରବ୍ରିଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ସହିଦ ନଗର ଲେବଲ୍‌କ୍ରସିଂଠାରେ ସହରର ଲୋକଙ୍କ ପାଇଁ ଗମନାଗମନ ସୁବିଧା କରିବା।ରେଳ ବିଭାଗ ପକ୍ଷରୁ  ମୁଖ୍ୟ ଅଂଶ ବା ଷ୍ଟ୍ରକ୍‌‍ଚର ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା ଅଥଚ ପୂର୍ତ୍ତ ବିଭାଗର କାମ ବିଳମ୍ବିତ ହୋଇଚାଲିଥିଲା। ଫ୍ଲାଇଓଭର ନିକଟରେ ଜବର ଦଖଲକୁ ହଟାଇବା ଓ ସରକାରୀ କ୍ୱାର୍ଟରକୁ ଭାଙ୍ଗିବା ନେଇ ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।
ଖବର ନେବାରେ ଜଣାପଡ଼ିଛି ଯେ ପଣ୍ଡା ଇନ୍‌ଫ୍ରା ନାମକ ଏକ ଘରୋଇ ଠିକାଦାର ସଂସ୍ଥାକୁ ପୋଲ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ଚୟନ କରାଯାଇଥିଲା। ଏହି କମ୍ପାନିକୁ ଜଟଣୀ ଓ ଓଲଡଟାଉନରେ ନିର୍ମାଣ ହେବାକୁ ଥିବା ଓଭରବ୍ରିଜ୍ କାମ ମଧ୍ୟ ମିଳିଛି।
ଓଭରବ୍ରିଜ୍ ଭଳି ବଡ଼ ବଡ଼ ପ୍ରକଳ୍ପରେ ଅଭିଜ୍ଞତା ନଥିବା ଏକ ସଂସ୍ଥାକୁ କିଭଳି ଏତେ ବଡ଼ କାମ ଦିଆଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣେ ନିଖିଳ ଓଡ଼ିଶା ଠିକାଦାର ସଂଘର ସଭାପତି ପ୍ରଭାତ ଦାସ ଏହି ପୋଲ ଭୁସୁଡ଼ିବା ଘଟଣାରେ ପୂର୍ତ୍ତ ବିଭାଗ ଦାୟୀ ବୋଲି କହିଛନ୍ତି। ଠିକଣା ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ପାରି ନଥିବା ବେଳେ କମ୍ପାନି ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Tags: Accident, Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

Comment