ଅନ୍‍ଲାଇନ୍‍ ଭିଡିଓ ଗେମ୍‍ ମାୟା ଜାଲରେ ବର୍ତ୍ତମାନର ଛାତ୍ର ଓ ଯୁବପିଢ଼ି ପଡ଼ିଯାଇଛନ୍ତି। ଯେତେ ଚେଷ୍ଟା କଲେ ବି ସେମାନେ ମୁକୁଳି ପାରୁନାହାନ୍ତି। ଏହାର ସୁଯୋଗରେ ଏବେ ଇଣ୍ଟରନେଟରେ ବ୍ଲୁ ହ୍ୱେଲ ଗେମ୍‍ ଆତଙ୍କ ଖେଳାଇ ଚାଲିଛି । ଏହି ଘାତକ ଗେମ୍‍ର ଶିକାର ହୋଇ ବହୁ ପିଲାଙ୍କ ଜୀବନ ଯାଉଥିବା ପ୍ରତିଦିନ ଖବର ଆସୁଛି। ତେବେ ଏହି ଅନଲାଇନ୍‍ ଭିଡିଓ ଗେମ୍‍ ଏବଂ ବ୍ଲୁ ହ୍ୱେଲ ପିଲାମାନେ କାହିଁକି ଖେଳନ୍ତି ଓ ଏଥିରୁ ସେମାନଙ୍କୁ କେମିତି ମୁକୁଳା ଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ।

ମଦ, ଗଞ୍ଜେଇ, ଭାଙ୍ଗ ଯେମିତି ଏକ ନିଶା ଠିକ୍‍ ସେମିତି ଅନଲାଇନ୍‍ ଭିଡିଓ ଗେମ୍‍ ମଧ୍ୟ ପିଲାମାନଙ୍କ ପାଇଁ ଏକ ନିଶା। ଏହି ନିଶାରେ ପିଲାମାନେ ଥରେ ପଡ଼ିଗଲେ ସେଥିରୁ ସେମାନେ ସହଜରେ ମୁକୁଳି ପାରି ନଥା’ନ୍ତି। ଥରେ ଏହି ଖେଳର ମଜା ଚାଖିବା ପରେ ପିଲାମାନେ ପୂରା ଏଥିରେ ମଜ୍ଜି ଯାଇଥା’ନ୍ତି।
ଅନଲାଇନ୍‍ ଗେମ୍‍ ସବୁଠୁ ମାରାତ୍ମକ। ଏହି ଖେଳରେ ପିଲାମାନେ ନିଜ ଆବେଗକୁ ନିୟନ୍ତ୍ରଣ କରିପାରିନଥା’ନ୍ତି। ସବୁବେଳେ ମୋବାଇଲରେ ଅନଲାଇନ୍‍ ଭିଡିଓ ଗେମ୍‍ ଖେଳିଥା’ନ୍ତି। ଏଭଳି ସ୍ଥିତି ଜାରି ରହିଲେ ଆମେ ଜାଣିବା ସେ ଗେମ୍‍ ଆଡିକ୍ଟେଡ(ନିଶାଶକ୍ତ) ହୋଇଯାଇଛି।
ପିଲାମାନେ କାହିଁକି ଏହି ଗେମ୍‍ ଖେଳନ୍ତି?
ଲୋକେ ସିଗାରେଟ୍‍, ଭାଙ୍ଗ, ମଦ ସେବନ କରି ଯେମିତି ଆନନ୍ଦ ପାଇଥାନ୍ତି, ସେମିତି ପିଲାମାନେ ଗେମ୍‍ ଖେଳି ଉତ୍ତେଜିତ ହୋଇଥାନ୍ତି। ଆମ ମସ୍ତିଷ୍କରେ ଥିବା ରିୱାର୍ଡ ସେଣ୍ଟରରେ ରାସାୟନିକ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ଯଦି ପିଲାଟି ସବୁବେଳେ ନିୟମିତ ଭାବେ ଭିଡିଓ ଗେମ୍‍ ଖେଳିଲା ତାହାଲେ ରାସାୟନିକ ବିଶୃଙ୍ଖଳା ଲାଗି ରହିବ। ଫଳରେ ସେ ଏଥିରେ ମଜ୍ଜି ରହିବ।
ଏବେ ଆଇନ୍‍ଗତ ପ୍ରତିବନ୍ଧକ ଟିକେ ଜଟିଳ ହୋଇଯାଇଛି। ଯଦି ଗୋଟିଏ ୱେବସାଇଟରେ ଅନଲାଇନ୍‍ ଗେମ୍‍ ନିଷିଦ୍ଧ କରାଯାଉଛି ତାହାଲେ ପିଲାମାନେ ଅନ୍ୟ ୱେବସାଇଟରୁ ଗେମ୍‍ ଡାଉନଲୋଡ କରୁଛନ୍ତି। ଏଣୁ ଅନଲାଇନ୍‍ ଭିଡିଓ ଗେମ୍‍ ବ୍ୟାନ୍‍ କରିବା କଷ୍ଟକର ।
ବର୍ତ୍ତମାନ ଇଣ୍ଟରନେଟ୍‍ ଶସ୍ତା ହୋଇ ଯାଇଛି। ଆଗଭଳି ଏହା ଆଉ ବ୍ୟୟସାପେକ୍ଷ ହୋଇ ରହିନାହିଁ। ଏଣୁ ପିଲାମାନେ ମନଇଚ୍ଛା ଇଣ୍ଟରନେଟ୍‍ ବ୍ୟବହାର କରି ଭିଡିଓ ଗେମ୍‍ ଖେଳୁଛନ୍ତି  ।
ପିଲାଟି ଅନଲାଇନ୍‍ ଗେମ୍‍ ଖେଳୁଛି ବୋଲି କିପରି ଜାଣିବେ?
ପିଲାମାନେ ଥରେ ଏହି ଭିଡିଓ ଗେମ୍‍ ଭିତରେ ପଶିଗଲେ ଏଥିରୁ ମୁକୁଳିବା ଭାରି କଷ୍ଟ। ତେବେ ପିଲାଟି ସବୁବେଳେ ଭିଡିଓ ଗେମ୍‍ ଖେଳୁଛି ବୋଲି ଜାଣିବେ କିପରି ?
ଅନଲାଇନ୍‍ ଭିଡିଓ ଗେମ୍‍ ଖେଳୁଥିବା ପିଲାଙ୍କ ମନ ସବୁବେଳେ ଅସ୍ଥିର ରହିଥାଏ। ସେମାନଙ୍କୁ ସବୁବେଳେ ଛାନିଆ ବା ଭୟ ଲାଗିଥାଏ। ଏମାନେ ସବୁବେଳେ ବିଶାଦଗ୍ରସ୍ତ ରହିଥା’ନ୍ତି। ନିଦ ଠିକ୍‍ ଭାବେ ହୋଇନଥାଏ। ଭିଡିଓ ଗେମ୍‍ ଖେଳୁଥିବା ପିଲାମାନେ ପାଠ ପଢ଼ିବା ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିବେ ନାହିଁ। ବେଳେବେଳେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହ ହାତ ଓ ଆଙ୍ଗୁଠି ଆଦିରେ ଦରଜ ଅନୁଭବ କରିବେ। ନିଜକୁ ସେମାନେ ନ୍ୟୂନ ଓ ଅସହାୟ ମନେ କରିବେ।
ତା’ଛଡ଼ା ପିଲାଟି ବାପା, ମା’ ଏବଂ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରଖିବାକୁ ଚାହିଁବ ନାହିଁ। ସେ ସମସ୍ତଙ୍କଠୁ ଦୂରେଇ ରହିବାକୁ ପସନ୍ଦ କରିବ। ସବୁବେଳେ ଗୁମସୁମ୍‍ ହୋଇରହିବ। କାହା ସହ ମିଶିବାକୁ ଭଲପାଇବ ନାର୍ହି। ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ପିଲା ଅନଲାଇନ୍‍ ଭିଡିଓ ଗେମ୍‍ ମାୟାରେ ପଡିଯାଇଥାନ୍ତି।
ପାଠପଢ଼ାରେ ପ୍ରତିବନ୍ଧକ
ପିଲାଟି ଚାହୁଁଥିବ ଆଜିର ପାଠ ସେ ଆଜି ହିଁ ଶେଷ କରିବ। ହେଲେ ଅନଲାଇନ୍‍ ଗେମ୍‍ର ମାୟାଜାଲରୁ ସେ ମୁକୁଳିପାରେ ନାହିଁ। ଫଳରେ ପାଢ଼ପଢ଼ାରେ ସମସ୍ୟା ସୃଷ୍ଟି ହୋଇଥାଏ।
ମଧ୍ୟବୟସ୍କ ଲୋକ ବି ବାଦ୍‍ ପଡୁନାହାନ୍ତି
ବିଶେଷକରି ଏକୁଟିଆ ରହୁଥିବା ପିଲା ଓ ବ୍ୟକ୍ତିମାନେ ହିଁ ଅନଲାଇନ୍‍ ଗେମ୍‌କୁ ଆପଣାଇଥା’ନ୍ତି। କାରଣ ଅନଲାଇନ୍‍ ଗେମ୍‍ ସେମାନଙ୍କ ନିୟନ୍ତ୍ରଣ‍ରେ ରହିଥାଏ। ଯେତେବେଳେ ଚାହିଁବେ ସେମାନେ ସେତେବେଳେ ଏହି ଗେମ୍‍ ଖେଳପାରିବେ। ଆଉଟଡୋର ଗେମ୍‍ ପାଇଁ ସାଙ୍ଗସାଥୀ ଆବଶ୍ୟକ ଥିବାରୁ ଅନଲାଇନ୍‍ ଗେମ୍‍ ଖେଳୁଥିବା ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ। ସେମାନେ ନିଜ ନିୟନ୍ତ୍ରଣରେ ଥିବା ଭିଡିଓ ଗେମ୍‍ ଖେଳିବାକୁ ପସନ୍ଦ କରନ୍ତି।
ପିଲାମାନଙ୍କ ଛଡା ମଧ୍ୟ ବୟସ୍କ ବା ଯୁବପିଢ଼ି ବି ଏହି ଖେଳରୁ ବାଦ୍‍ ପଡିନାହାନ୍ତି । ପାଠ ପଢ଼ି ଘରେ ବସିଥିବା ଲୋକ, ବିବାହ ପରେ ସ୍ତ୍ରୀକୁ ନେଇ ମାନସିକ ବିଶାଦରେ ରହୁଥିବା ଲୋକମାନେ ମାନସିକ ଚାପରେ ରହିଥା’ନ୍ତି। ଏଣୁ ସେମାନେ ଏହି ଅନଲାଇନ୍‍ ଗେମ୍‍ର ଶିକାର ହୋଇଥାନ୍ତି ।
ବ୍ଲୁ ହ୍ୱେଲ କ’ଣ ?
ବ୍ଲୁ ମାନେ ହେଉଛି କୁଲ୍‍ କଲର। ହ୍ୱେଲ୍‍ମାନେ ହେଉଛି ତିମି। ଏଣୁ ଓଡ଼ିଆରେ ଏହାକୁ କୁହଯାଉଛି ‘ନୀଳତିମି’ ଗେମ୍‍। ତିମି ମାଛ ଚାରିଆଡୁ ବାନ୍ଧି ହୋଇଗଲା ପରେ ନିଜତ୍ୱ ହରାଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ଏଣୁ ତିମି ମାଛର କାହାଣୀକୁ ନେଇ ଏହାର ନାମ ‘ବ୍ଲୁ ହ୍ୱେଲ’ ରଖାଯାଇଛି।
ଋଷିଆର ଫିଲିପ୍‍ ବୁଡେକିନ୍‍ ନାମକ ଜଣେ ବ୍ୟକ୍ତି ଏହି ଗେମ୍‍ ବାହାର କରିଛନ୍ତି। ସେ ଜଣେ ମାନସିକ ବିଶାଦଗ୍ରସ୍ତ ଲୋକ। ଏଣୁ ତାଙ୍କର ସମାଜରେ କିଛି ନିଜତ୍ୱ ନ ଥିବାରୁ ବିଶ୍ୱରେ ତାଙ୍କ ଭଳି ଥିବା ଅଯୋଗ୍ୟ ଲୋକଙ୍କୁ ଖତମ କରିବା ଲାଗି ଏହି ଆତ୍ମଘାତୀ ଖେଳ ବାହାର କରିଛନ୍ତି ।
ଅନଲାଇନ୍‍ ଗେମ୍‍ର ଆତଙ୍କବାଦୀ ବ୍ଲୁ ହ୍ୱେଲ୍‍
ଏବେ ଇଣ୍ଟରନେଟରେ ବ୍ଲୁ ହ୍ୱେଲ ଗେମର ଆତଙ୍କ ଦେଖାଦେଇଛି। ବ୍ଲୁ ହ୍ୱେଲ ହେଉଛି ଇଣ୍ଟରନେଟର ଗେମ୍‍ର ଆତଙ୍କବାଦି ସଦୃଶ। ଏହି ଖେଳରେ ୫୦ ଦିନିଆ ପିରିୟଡ ରହିଛି। ପ୍ରଥମେ ହାତ କାଟିବା, ହରର ଫିଲ୍ମ ଦେଖିବା, ଦୌଡ଼ିବାକୁ କୁହାଯାଉଛି। ଶେଷ ପର୍ଯ୍ୟାୟରେ ଉଚ୍ଚ କୋଠାକୁ ଯିବା ଏବଂ ଶେଷରେ ମୃତ୍ୟୁ ହେଉଛି ଏହି ଖେଳର ନିୟମ।
କେଉଁମାନେ ହୁଅନ୍ତି ବ୍ଲୁ ହ୍ୱେଲ୍‍ର ଶିକାର?
ଯେଉଁ ପିଲା ଆଗରୁ ମାନସିକ ବିଶାଦଗ୍ରସ୍ତ ଥିବେ, ଆତ୍ମହତ୍ୟା ଉଦ୍ୟମ କରିଥିବେ ସେମାନେ ହିଁ ଏହି ବ୍ଲୁ ହ୍ୱେଲର ଶିକାର ଅତି ସହଜରେ ହୋଇଯାଆନ୍ତି। ଏହାସହ ଯେଉଁମାନଙ୍କୁ ପାରିବାରିକ ବା ସାମାଜିକ ସ୍ତରରେ ସହଯୋଗ କମ୍‍ ମିଳିଥାଏ ସେମାନେ ହିଁ ଏହି ଗେମ୍‍ ଖେଳିବାକୁ ଇଚ୍ଛା କରିଥା’ନ୍ତି। ନିଜକୁ ଅସହାୟ ମନେ କରୁଥଇବା ପିଲା ହିଁ ଏଭଳି ପଦକ୍ଷେପ ନେଇଥା’ନ୍ତି। ତା’ଛଡା କିଛି ଲୋକ ଅଛନ୍ତି ଯେଉଁମାନେ ଅନଲାଇନ ଗେମ୍‍ ଖେଳୁ ନଥିଲେ ମଧ୍ୟ ଇଣ୍ଟରନେଟ୍‌‍ରେ ବସି ଆଉ କିଛି କାମ କରିଥା’ନ୍ତି। ସେମାନେ ବି ଏହି ଗେମ୍‍ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହିଛି ।
ବ୍ଲୁ ହ୍ୱେଲ ଖେଳାଳିଙ୍କୁ କେମିତି ଜାଣିବେ?
ହଠାତ୍‍ ପିଲାଟିର ବ୍ୟବହାରରେ ପରିବର୍ତ୍ତନ ଦେଖାଯିବ। ସେ ରୁମରେ ଏକୁଟିଆ ବସ ରହିବାକୁ ଭଲପାଇବ। କାହା ସହ କଥା ନ ହୋଇ ଚୁପଚାପ ମୋବାଇଲ ଧରି ଏକୁଟିଆ ବସିବାକୁ ଚାହିଁବ। ହଠାତ୍‍ ହାତ କାଟି ଦେଉଛି ଏବଂ ରାତି ଅଧରେ ଉଠି ପଡ଼ିବା ଭଳି ସ୍ଥିତି ହେଉଛି ବ୍ଲୁ ହ୍ୱେଲର ଲକ୍ଷଣ  ।
ଅନ୍‍ ଲାଇନ୍‍ ଗେମ୍‍ରୁ ଦୂରେଇ ରଖିବାର ଉପାୟ
ପରିବାର ସଦସ୍ୟ, ସମ୍ପର୍କୀୟ ଆନ୍ତରିକତାର ସହ ଉଦ୍ୟମ କଲେ ପିଲାମାନଙ୍କୁ ଅନଲାଇନ୍‍ ଗେମଠାରୁ ଦୂରେଇ ରଖାଯାଇପାରିବ।
-ପ୍ରଥମେ ପିଲାମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦିଅନ୍ତୁ ନାହିଁ।
-ଏକୁଟିଆ ରହିବାକୁ ଚାହୁଁଥିବା ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ।
-ପରିବାରର ସଦସ୍ୟ, ଶିକ୍ଷକ ଏବଂ ସମ୍ପର୍କୀୟ ପିଲାମାନଙ୍କୁ କିଛି ସମୟ ଦିଅନ୍ତୁ।
-ପିଲାମାନଙ୍କୁ ସବୁ କ୍ଷେତ୍ରରେ ତ୍ସାହିତ କରନ୍ତୁ।
-ଅନ୍‍ଲାଇନ୍‍ ଗେମ୍‍ଠାରୁ ଦୂରେଇ ଆଉଟଡୋର ଗେମ୍‍ ଖେଳିବାକୁ ପିଲାଙ୍କୁ ଉତ୍ସାହିତ କରନ୍ତୁ
-ପିଲାମାନଙ୍କୁ ସାମୁହିକ କାମରେ ସାମିଲ କରନ୍ତୁ କିମ୍ବା ସେମାନଙ୍କୁ ନୂଆ ନୂଆ ପିକନିକ ସ୍ପଟ ବୁଲାଇବାକୁ ନିଅନ୍ତୁ। ଏହାଦ୍ୱାର ସେମାନେ ବିଭିନ୍ନ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସି ପାରିବେ।
-ଅନଲାଇନରେ କିଛି ଭଲ ଗେମ୍‍ ମୋମୋରି, କାଲକୁଲେଟର ଭଳି ଗେମ୍‍ ଅଛି ସେଗୁଡିକୁ ଖେଳିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପଡିବ।
(ପ୍ରସ୍ତୁତି : ସରୋଜ ମହାପାତ୍ର)
Tags: Blue Whale, Blue Whale game, Dr. Samrat Kar, Online Game, Online Videogame, Human Psychology, Internet Game, Saroj Mohapatra, Social Media, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment