ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସି କରବାରକୁ ନେଇ ମଙ୍ଗଳବାର ବିଧାନସଭାରେ ଆଲୋଚନା ସରଗରମ୍ ହୋଇଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପିସି କାରବାର ସମ୍ପର୍କରେ ଗୃହରେ ବିବୃତ୍ତି ରଖିବା ପରେ ଶୂନ୍ୟକାଳରେ କୃଷି ମନ୍ତ୍ରୀ ଡାକ୍ତର ଦମୋଦର ରାଉତ ତାଙ୍କ ମତ ରଖିଛନ୍ତି। କହିଛନ୍ତି ପିସି କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରିବ ନାହିଁ।

ଡାକ୍ତର ରାଉତ କହିଛନ୍ତି, ”ପିସି ବ୍ୟବସ୍ଥା ବ୍ରିଟିଶ ସାମ୍ରାଜ୍ୟବାଦ ସମୟରୁ ଆରମ୍ଭ ହୋଇଛି। ସ୍ବାଧୀନତାର ୭୦ ବର୍ଷ ପରେ ଏହାକୁ ବନ୍ଦ କରାଯାଇପାରି ନାହିଁ। ଏହି ଦୁର୍ନୀତି ଅସ୍ଥି ମଜ୍ଜାଗତ ହୋଇ ସାରିଲାଣି। ତେଣୁ ଏହାକୁ ନେଇ ଆତ୍ମ ସମୀକ୍ଷାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ବନ୍ଦ ହେବା ନେଇ ଜୁନ୍ ମାସରୁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ବିଦୁ୍ୟତ ଆଘାତ ଭଳି। ଏହାର ପ୍ରଭାବ ତଳ ସ୍ତରରେ କିଛିଟା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି।”

ଜୁନ୍ ମାସରେ ରାଜ୍ୟ ସଚିବାଳୟରେ  ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାର ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜିଲ୍ଲା ସ୍ତରଠୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ପିସି କାରବାର ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦଶେ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଦେଶ କାର୍ଯ୍ୟକାରୀ ହେଉ ନ ଥିବାରୁ ବିରୋଧୀ ବିଧାନସଭାରେ ଏହାକୁ ଅସ୍ତ୍ର କରିଛନ୍ତି।

ଦୁର୍ନୀତିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ଗର୍ଜିଛନ୍ତି। ଦୁର୍ନୀତିକୁ ନେଇ ଦରକାର ପଡିଲେ ତୃତୀୟ ମହଲା ଅଫିସରଙ୍କୁ ବାଡେଇବି ବୋଲି କହି ଚର୍ଚ୍ଚାରେ ରହିଛନ୍ତି।
ଶ୍ରୀ ବାହିନୀପତି ଶୂନ୍ୟକାଳରେ କହିଛନ୍ତି ଯେ, ”କୋରାପୁଟ ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ତୃତୀୟ ମହଲାରୁ ନିଯୁକ୍ତି ଦିଆଯାଉଛି। ତୃତୀୟ ମହଲାରୁ ହିଁ ଦୁର୍ନୀତି ଆରମ୍ଭ କରା ଯାଉଛି। ଗିରଫ କରିବାର ଅଛି ଯଦି କର।”
ଜୟପୁରର ବିଡିଓ ଭାବେ ଜଣେ ଦୁର୍ନୀତିଗ୍ରସ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ତହସିଲଦାର ଓ ଆରଟିଓ ଭାବେ ମଧ୍ୟ ଦୁର୍ନୀତିଗ୍ରସ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ତୃତୀୟ ମହଲାରୁ ଏଭଳି ଲୋକଙ୍କୁ ପୋଷ୍ଟିଂ କରାଯାଉଛି। ତୃତୀୟ ମହଲାରୁ ହିଁ ଦୁର୍ନୀତି ଆରମ୍ଭ ହେଉଛି ବୋଲି ସେ କହିଛନ୍ତି।

Tags: Assembly, Odisha Assembly, BJD, Congress, Tara Bahinipati, Damodar Rout, Naveen Patnaik, Kanak Bardhan Singhdeo, Narasingh Mishra, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment