ଓଡିଶାଲାଇଭ୍ ବ୍ୟୁରୋ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀଠାରୁ ଆରମ୍ଭ ହୋଇଛି ‘ହିମାଳୟ ଅଭିଯାନ’। ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ଟିମ୍‌ରେ ୧୫ ଜଣ ସାମିଲ ହୋଇଛନ୍ତି।
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସେପ୍ଟେମ୍ବର ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୫ ଜଣ ଅଭିଯାତ୍ରୀ ସାମିଲ୍ ହୋଇଛନ୍ତି। ଏହି ଅଭିଯାତ୍ରୀ ଟିମ୍‌ରେ ୩ ଜଣ ଝିଅ ଅଛନ୍ତି। ଅଭିଯାତ୍ରୀମାନେ ଉତ୍ତରାଖଣ୍ଡର ରୁଡୁଗାଇରା (୧୯,୧୦୦ ଫୁଟ) ପାହାଡ ଚଢ଼ିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,”ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କରାଯାଇଛି। ଏଥିରେ ଯେଉଁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ସଫଳତା କାମନା କରୁଛି।”
ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ସ୍ପିରିଟ୍ ଓ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ଅଭିଯାନ ଶୁଭାରମ୍ଭ କରାଯାଇଛି। ୨୦୧୬ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀଠାରୁ ଏହି ଅଭିଯାନ ପ୍ରଥମେ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ପୁଣି ପତାକା ଦେଖାଇ ଆରମ୍ଭ କରିଛନ୍ତି। ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ଏଥିରେ ଟେକ୍‌ନିକାଲ ସହାୟତା ଯୋଗାଇ ଦେଉଛି।
କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି, ”ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସାହସୀ ଥିଲେ। ଏଣୁ ତାଙ୍କ ଭଳି ସାହସୀ ହେବା ପାଇଁ ଆମ ବିଭାଗ ତରଫରୁ ଏହି ଅଭିଯାନ ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।”
୩ଟି ପର୍ଯ୍ୟାୟରେ ହୋଇଥିଲା ଚୟନ
ଏହି ଅଭିଯାନରେ ସାମିଲ ହୋଇଥିବା ଅଭିଯାତ୍ରୀଙ୍କୁ ୩ଟି ପର୍ଯ୍ୟାୟରେ ତାଲିମ୍ ଦିଆଯାଇ ଚିହ୍ନଟ କରାଯାଇଛି। ୧୫ ଜଣିଆ ଟିମ୍‌ର ନେତୃତ୍ୱ ନେଉଛନ୍ତି ମାଉଣ୍ଟ ଏଭରେଷ୍ଟ ଚଢ଼ିଥିବା ପ୍ରଥମ ଭାରତୀୟ ମହିଳା ତଥା ଟିଏସ୍‌ଏଫ୍‌ର ନିର୍ଦ୍ଦଶେକ ପଦ୍ମଶ୍ରୀ ବାଚେନ୍ଦ୍ରି ପାଲ୍। ପଦ୍ମଶ୍ରୀ ପ୍ରେମଲତା ଅଗ୍ରଓ୍ବାଲ, ରାଜେନ୍ଦ୍ର ସିଂହ, ଯୋଗାବ୍ୟାସ ଭୋଇ ଏହି ଟିମର ନେତୃତ୍ବ ନେବା ସହ ପରାମର୍ଶଦାତା ରହିଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ହିମାଳୟ ଯାତ୍ରା ପାଇଁ ୨୦୧୭ ଫେବୃୟାରୀରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥପାଇଁ ୧୫୭ ଜଣ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୮୪ ଜଣ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫିଟ୍‌ନେସ୍ ପରୀକ୍ଷାରେ ସାମିଲ୍ ହେବା ପାଇଁ ଯୋଗ୍ୟ ବିଚେବିତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ଟ୍ରାଏଲ କ୍ୟାମ୍ପରେ ୩୫ ଜଣଙ୍କୁ ଚୟନ କରାଯାଇଥିଲା।
ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ ସହଯୋଗରେ ଜାମସେଦପୁରଠାରେ ପ୍ରି-ସିଲେକ୍ସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପରେ ୩୫ ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚୟନ କରାଯାଇଥିଲା।
ମେ’ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତରକାଶୀଠାରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଠାରେ ୨୫ ପ୍ରତିଯୋଗୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚୟନ କରାଯାଇଥିଲା।
ଟିଏସ୍‌ଏଫ୍‌ର ନିର୍ଦ୍ଦେଶକ ବାଚେନ୍ଦ୍ରି ପାଲ୍ କହିଛନ୍ତି, ”୨୦୧୬ରେ ପ୍ରଥମ ଥର ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ ତରଫରୁ ପୂର୍ଣ୍ଣ ସହଯୋଗ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ମଧ୍ୟ ସହଯୋଗ ରହିବ।”
୧୫ ଜଣିଆ ଟିମ୍‌ରେ କିଏ ପାଇଲେ ସ୍ଥାନ
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ପାଇଁ ଚୟନ ହୋଇଥିବା ୧୫ ଜଣିଆ ଟିମରେ ୧୨ ଜଣ ପୁଅ ରହିଥବା ବେଳେ ୩ ଜଣ ଝିଅ ସାମିଲ ହୋଇଛନ୍ତି। ସେମାନେ ହେଲେ ସୋନପୁରର ଭବାନୀ ଶଙ୍କର ରଣା, ଗଞ୍ଜାମର ଦେବାଶୀଷ ପଣ୍ଡା, ଅନଗୁଳୁର ପାପୁନ୍ ଦାଶ, ନୂଆପଡାର ରାଜୁ କୁମାର ବେହେରା, କଳାହାଣ୍ଡିର ରୋମାଞ୍ଚଳ ଭୋଇ, ଭୁବନେଶ୍ୱରର ସୁନୀଲ କୁମାର ସାହୁ, ଜଗତସିଂହପୁରର ଲକ୍ଷ୍ମୀଧର ନାଥ, ଭୁବନେଶ୍ୱରର ତାରାକାନ୍ତ ପରିଡା, ଢେଙ୍କାନାଳର ରାଜେଶ ବାହାଲିଆ, କଳାହାଣ୍ଡିର ଲାଲୁ ପ୍ରସାଦ ଭୋଇ, ସମ୍ବଲପୁରର ସଲିମ୍ ଦରକା, ଯାଜପୁରର ସ୍ମୃତି ରଞ୍ଜନ ସିଂହ, ଭୁବନେଶ୍ୱରର ପ୍ରିୟଙ୍କା ମିଶ୍ର ଓ ସସ୍ମିତା ରାଉତରାୟ ଏବଂ କଳାହାଣ୍ଡିର ଇପ୍ସାମୟୀ ଦୁବେ। ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି ଯୋଗାବ୍ୟାସ ଭୋଇ।

Tags: Naveen Patnaik, Biju Patnaik, Himalyan Expedition, Chief Minister, Naveen Nivas, Biju Patnaik Himalayan Expedition, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment