ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସି କାରବାର ନେଇ ବିଧାନସଭାରେ ହଙ୍ଗାମା। ମଙ୍ଗଳବାର ପରି ବୁଧବାର ମଧ୍ୟ ବିରୋଧୀ ସଭ୍ୟଙ୍କ ହୋ ହଲ୍ଲାରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି।  ପିସି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ସଭ୍ୟଙ୍କ ମଧ୍ୟରେ ଟଣାଓଟରା ଲାଗିବାରୁ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଛି। ଏସବୁ ଭିତରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୁଣି ଥରେ ମାଡ ତତ୍ତ୍ୱ ଦୋହରାଇଛନ୍ତି।
ତୃତୀୟ ମହଲା ଅଫିସ ଭିତରେ ମୁଖ୍ୟମନ୍ତ୍ରୀ ଅଫିସରଙ୍କ ସହ ଆଲୋଚନା କରୁଥିବା ବେଳେ ଅଫିସ ଭିତରେ ପଶି ଅଫିସରଙ୍କୁ ପିଟିବାକୁ ଚେତାବନୀ ଦେଇଛନ୍ତି ବାହିନୀପତି। ବାହିନୀପତିଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବିଜେପି ସଭ୍ୟ।
୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ ବାଚସ୍ପତି ପ୍ରଦୀପ କୁମାର ଅମାତ। ଏହି ସମୟରେ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ପିସି କାରବାର ବନ୍ଦ କରିବା ନେଇ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ହେଲେ ବାଚସ୍ପତି ଏହାକୁ ଗ୍ରହଣ କରି ନ ଥିଲେ। ଫଳରେ କଂଗ୍ରେସ, ବିଜେପି ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜି ଦେଇଥିଲେ। ଏଥିରୁ ନିବୃତ୍ତ ରହିବାକୁ ବାଚସ୍ପତି ବିରୋଧୀ ସଭ୍ୟଙ୍କୁ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ବିରୋଧୀ ହଟ୍ଟଗୋଳ ଯୋଗୁଁ ମୁଖ୍ୟମନ୍ତ୍ରୀ ଗୃହ ଛାଡି ଚାଲି ଯାଇଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରି ନ ଥିଲା।
ଅପରାହ୍ନ ୩ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବିରୋଧୀ ସଭ୍ୟ ପିସି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ।
ବିଧାନସଭାରେ ପାସ୍ ହେଲା ୪ଟି ବିଲ୍
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ୪ଟି ବିଲ୍ ପାସ୍ ହୋଇଛି। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ସରକାର ପ୍ରସ୍ତୁତ କରିଥିବା ବିଲ୍ ବିଧାନସଭାରେ ପାରିତ ହୋଇଛି। ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଏଣିକି ସହରରେ ଥିବା ଗରିବ ଲୋକଙ୍କୁ ସରକାର ଘର ପାଇଁ ଜମି ଅଧିକାର ଯୋଗାଇ ଦେବେ।
ଏହାସହ ଓଡ଼ିଶା ବିକ୍ରିକର ସଂଶୋଧନ ବିଲ୍, ଓଡ଼ିଶା ମୋଟରଯାନ କର ଧାର୍ଯ୍ୟକରଣ ସଂଶୋଧନ ବିଲ୍, କୃଷି ଉତ୍ପାଦ ମାର୍କଟେିଂ ଆମେଣ୍ଡମେଣ୍ଟ ବିଲ୍ ପାରିତ ହୋଇଛି।

Tags: Assembly, Bhubaneswar News, BJD, Breaking News, Congress, Damodar Rout, Kanak Bardhan Singhdeo, Latest News, Narasingh Mishra, Naveen Patnaik, Odisha Assembly, Odisha Breaking News, Odisha News, Odisha Stories, Odisha Top Stories, Tara Bahinipati, Top Stories

Comment