ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ୍ ମେଡିଆରେ ‘ସୋନୁ ସଙ୍ଗ୍’ ଭାଇରାଲ୍ ହେବା ପରେ ଏବେ ଛାତ୍ର ସଂସଦ ନିର୍ବାଚନରେ ଏହାର ମାନିଆ ଜୋର୍ ଧରିଛି। ରାଜଧାନୀର ପ୍ରମୁଖ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ‘ସୋନୁ ସଙ୍ଗ’ ଫର୍ମାଟରେ କଲେଜ ସମସ୍ୟାକୁ ନେଇ ତିଆରି କରିଛନ୍ତି ଗୀତ। ଏହା ଏବେ ସୋସିଆଲ ମେଡିଆରେ ପୁଣି ଭାଇରାଲ୍ ହୋଇଛି।
ଆଗାମୀ ୧୬ ତାରିଖରେ ଛାତ୍ର ସଂସଦ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରଚାର ଜମୁଛି। ଛାତ୍ରଛାତ୍ରୀମାନଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକମାନେ ନୂଆ ଗେମ୍ ପ୍ଲାନ୍ ଆପଣାଉଛନ୍ତି। ଏହାର ପ୍ରମାଣ ହେଉଛି ‘ସୋନୁ ସଙ୍ଗ’। ଏହି ସଙ୍ଗୀତ ଏବେ ଯୁବପିଢ଼ିଙ୍କୁ କିମିଆ କରିଥିବାରୁ କଲେଜ ଇଲେକ୍ସନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ରମାଦେବୀ ବିଶ୍ୱବିଦ୍ୟାଳୟର ଏବିଭିପି ସମର୍ଥିତ ପ୍ରାର୍ଥୀ ତନ୍ମୟୀ ହୋତା ନିଜେ ‘ସୋନୁ ସଙ୍ଗ’ ଫର୍ମାଟରେ ଗୀତ ଗାଇ ପିଲାଙ୍କ ନିକଟତର ହେଉଛନ୍ତି। ସେହିପରି ବାଣୀବିହାରରେ ଛାତ୍ର ବିଜେଡି ପୁଣି ଥରେ ବିଶ୍ୱବିଦ୍ୟାଳୟକୁ ଅକ୍ତିଆର କରିବା ଲକ୍ଷ୍ୟରେ ଅଛି। ଉଭୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରାର୍ଥୀମାନେ କ୍ୟାମ୍ପେନ୍ ଜୋରଦାର କରିଛନ୍ତି।
ବାଣୀବିହାରର ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓଡ଼ିଶାଲାଇଭ୍‌କୁ କହିଛନ୍ତି, ”ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସହ ଆମେ ଜଡିତ ହୋଇ ରହିଛୁ। ତାଙ୍କ ସମସ୍ୟା ସମାଧାନ କରିବାକୁ ଆମେ ଉଦ୍ୟମ କରି ଆସିଛୁ। ଯେଉଁମାନେ ବାହାସ୍ଫୋଟ ମାରୁଛନ୍ତି ସେମାନେ ସେମାନେ ଚିଲିକାର ଶୀତଦିନିଆ ପକ୍ଷୀ ପରି।”
ଉତ୍କଳ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକମାନେ ଅଭିନବ ଉପାୟରେ କ୍ୟାମ୍ପେନ କରୁଛନ୍ତି। କ୍ୟାମ୍ପେନକୁ ନେଇ କ୍ୟାମ୍ପସରେ ମାହୋଲ ଜମୁଛି। ରାଜ୍ୟର ଅନ୍ୟ ପ୍ରମୁଖ କଲେଜରେ ମଧ୍ୟ ‘ସୋନୁ ସଙ୍ଗ’ର ମାହୋଲ ଦେଖିବାକୁ ମିଳିଛି।
ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାକୁ ପ୍ରାର୍ଥୀମାନେ ଅସ୍ତ୍ର କରିଛନ୍ତି। ଏହି ସମସ୍ୟାକୁ ‘ସୋନୁ ସଙ୍ଗ’ ଷ୍ଟାଇଲରେ ପ୍ରସ୍ତୁତ ହୋଇଥିବା ଗୀତରେ ଗୁରୁତ୍ୱ ଦିଆଯାଇଛି।
ରମାଦେବୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥୀ ତନ୍ମୟୀ ହୋତା କହିଛନ୍ତି, ”ନିର୍ବାଚନରେ ଜିତିବା, ହାରିବା କିଛି ବଡ଼ କଥା ନୁହେଁ। ଆମେ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ସହ ରହିଛୁ। ଏହି ବିଶ୍ୱବିଦ୍ୟାଳୟରେ ୫ ବର୍ଷ ହେଲା ମୁଁ ପାଠ ପଢ଼ି ଆସୁଛି। ବିଶ୍ୱବିଧ୍ୟାଳୟର ସୁବିଧା, ଅସୁବିଧା ସମ୍ପର୍କରେ ଅବଗତ ଅଛି। ଏଠାରେ କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାମ ହୋଇନାହିଁ। ତେଣୁ ଆମେ ବିଶ୍ୱବିଦ୍ୟାଳୟ ସମସ୍ୟାକୁ ଅସ୍ତ୍ର କରିଛୁ। ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଚାର କରିବା ସହ ‘ସୋନୁ ସଙ୍ଗ୍’ ଷ୍ଟାଇଲରେ ପ୍ରସ୍ତୁତ ଗୀତ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ସମସ୍ୟାକୁ ପହଞ୍ଚାଇବା ଲାଗି ଉଦ୍ୟମ କରୁଛୁ।”

Tags: Sonu Song, Social Media, College Election, Election, Ramadevi University, Vanivihar University, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment