ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନ ଆସନ୍ତା ୧୬ ତାରିଖରେ। ସେଥିପାଇଁ ଉଠୁଛି ପଡ଼ୁଛି ରାଜ୍ୟର ବିଭିନ୍ନ କଲେଜ ସମେତ ବିଶ୍ୱବିଦ୍ୟାଳୟ। ହେଲେ ନିର୍ବାଚନ ପୂର୍ବରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରାକ୍ ନିର୍ବାଚନୀ ହିଂସା ସୃଷ୍ଟି ହୋଇଛି ବାଣୀବିହାର କ୍ୟାମ୍ପସରେ।
ବୁଧବାର ରାତି ପ୍ରାୟ ୯ଟା ସମୟରେ ବାଣୀବିହାରରେ ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ  ଗଣ୍ଡଗୋଳ ହୋଇଥିଲା। ଏଥିରେ ଛାତ୍ର ବିଜେଡିର ସମର୍ଥିତ ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଏବିଭିପିର କେତେଜଣ ଛାତ୍ର ଓ ଅଣଛାତ୍ର ଆକ୍ରମଣ କରିବାର ଅଭିଯୋଗ ହୋଇଛି।  ଗଣ୍ଡଗୋଳ ଯୋଗୁଁ ସୌମ୍ୟଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ।
ଉଭୟ ଛାତ୍ର ଗୋଷ୍ଠୀ ସହିଦନଗର ଥାନାରେ ପୃଥକ ପୃଥକ ଭାବେ ଅଭିଯୋଗ କରିଛନ୍ତି। କ୍ୟାମ୍ପସ ଗଣ୍ଡଗୋଳକୁ ନଜରରେ ରଖି ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।
ଏବିଭିପିର ପ୍ରାର୍ଥୀ ପ୍ରାଚୀ ପ୍ରିୟଦର୍ଶିନୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜଣେ ଅଣଛାତ୍ର ସୋସିଆଲ୍ ମେଡ଼ିଆରେ  ତାଙ୍କ ନାଁରେ ଖରାପ ଭାଷାରେ ମନ୍ତବ୍ୟ ଦେଇଥିବା ବେଳେ ବଦନାମ କରିଛନ୍ତି। ନିର୍ବାଚନରୁ ଓହରିଯିବା ପାଇଁ ତାଙ୍କୁ ବାରମ୍ବାର ଧମକାଯାଉଛି। ତେଣୁ ସମ୍ପୃକ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତୁରନ୍ତ ବିଦା କରାଯାଉ ବୋଲି ପୋଲିସ ପାଖରେ ଅଭିଯୋଗ କରିଛନ୍ତି।
ହିଂସା ଯୋଗୁଁ ଏ ବର୍ଷ ବାଣୀବିହାର କ୍ୟାମ୍ପସରେ ନିର୍ବାଚନ ହେବ କି ନାହିଁ ସେ ସମ୍ପର୍କରେ ଗୁରୁବାର ଦିନ ନୂଆକରି କୂଳପତି ହୋଇଥିବା ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏକ ଜରୁରୀ ବୈଠକରେ  ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

Tags: College Election Violence, Bhubaneswar News, Breaking News, College Election, Election, Latest News, Odisha Breaking News, Odisha News, Odisha Stories, Odisha Top Stories, Social Media, Top Stories, Vanivihar University

Comment