ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୨୩ରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ କ୍ୟାମ୍ପସ ଉଠୁଛି ପଡୁଛି। ଶୁକ୍ରବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସରେ ଜୋରଦାର କ୍ୟାମ୍ପେନ୍ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଉତ୍ସାହିତ ହୋଇଯାଇଛନ୍ତି। ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ କ୍ଳାସ କ୍ୟାମ୍ପେନିଂ କରିବା ସହ ହଷ୍ଟେଲରୁ ହଷ୍ଟେଲ ବୁଲି ପିଲାଙ୍କୁ ଭେଟୁଛନ୍ତି। ତେବେ ଏସବୁ ଭିତରେ ଲିଙ୍ଗଡୋ କମିଶନଙ୍କ ଭୟ ଏବେ ଅଧିକାଂଶ ପ୍ରାର୍ଥୀଙ୍କୁ ଘାରିଛି।
ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଲେଜ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ନିର୍ବାଚନରେ ଲିଙ୍ଗ୍‌ଡୋ କମିଶନଙ୍କ ନିୟମ ଲାଗୁ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଏସବୁ ଭିତରେ ପ୍ରାର୍ଥୀମାନେ କ୍ୟାମ୍ପେନରୁ ପଛକୁ ହଟି ନାହାନ୍ତି। ଯେଉଁ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଥିଲା ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେହି କ୍ୟାମ୍ପସଗୁଡିକରେ ନିର୍ବାଚନ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏହି ଆଶଙ୍କା ଟଳିଯାଇଛି।
ଭୁବନେଶ୍ୱରର ବିଜେବି କଲେଜରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ବୋମାମାଡ଼ରେ କ୍ୟାମ୍ପସ ଥରହର ହୋଇଥିଲା। ଏଠାରେ ନିର୍ବାଚନ ବନ୍ଦ ହୋଇଯିବ ବୋଲି ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ଚିନ୍ତାରେ ପଡିଥିଲେ। ହେଲେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେବିରେ ନିର୍ବାଚନ ହେବ ବୋଲି ଜଣାପଡିଛି। ଫଳରେ ଛାତ୍ର ନେତାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ବିଜେବିର ସଭାପତି ପ୍ରାର୍ଥୀ ଅଶୋକ କୁମାର ମଲ୍ଲିକ କହିଛନ୍ତି, ”ନିର୍ବାଚନ ଦ୍ୱାରା କଲେଜର ଉନ୍ନତିମୂଳକ କାମ ହୋଇପାରିବ। ବିଗତ ଦିନରେ କଲେଜର କୌଣସି ଉନ୍ନତି ହୋଇନାହିଁ। ଏଣୁ କଲେଜର ବିକାଶ ପାଇଁ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ସେ ନିବେଦନ କରିଛନ୍ତି।”
ନିର୍ବାଚନୀ ହିଂସା ପାଇଁ ୨୦୧୬ରେ ବିଜେବିରେ ନିର୍ବାଚନ ବାତିଲ୍ କରାଯାଇଥିଲା।
ବାଣୀବିହାରର ଛାତ୍ର ନେତା ଶିଶିର କୁମାର ବେହେରା କହିଛନ୍ତି, ”ପ୍ରାକ୍ ନିର୍ବାଚନୀ ହିଂସାକୁ ନେଇ ଏଥର ନିର୍ବାଚନ ବାତିଲ ହେବ ବୋଲି ଭୟ ରହିଥିଲା। ହେଲେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି। ଆଜିଠୁ ଲିଙ୍ଗଡୋ କମିଶନଙ୍କ ନିୟମ କଡାକଡି ଭାବେ ପାଳନ କରିବେ କର୍ତ୍ତୃପକ୍ଷ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ।”
ଏପଟେ ହିଂସାକାଣ୍ଡକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ  ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାକ୍ ନିର୍ବାଚନୀ ହିଂସାକୁ ନେଇ ଦୁଇ ଦିନ ତଳେ ବାଣୀବିହାର କ୍ୟାମ୍ପସ୍ ଗରମ ରହିଥିଲା। ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସଫଳ ହେବା ପରେ ଏଠାରେ ନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି। ରାଜଧାନୀ କଲେଜରେ ବି ପ୍ରାକ୍ ନିର୍ବାଚନ ହିଂସା ଦେଖାଦେଇଛି। ଏହାସତ୍ତ୍ବେ କଲେଜ କର୍ତ୍ତୃପକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ଏହାସହ ରାଜ୍ୟର ଅନ୍ୟ ପ୍ରମୁଖ କ୍ୟାମ୍ପସରେ ବି ନିର୍ବାଚନ ବିଗୁଲ୍ ବାଜିଛି। ପ୍ରାର୍ଥୀ ଓ ସମର୍ଥକମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Tags: Odisha News, Odisha Spot News, College Election, Utkal University, Rajdhani College, Candidate, Politics, Bhubaneswar News, Odisha Hot News, Ramadevi University, BJB college

 

Comment