ନୀଳାମ୍ବର ରଥ
ଫ୍ଲାଏଓଭର୍ ସୁରକ୍ଷା ପ୍ରସଙ୍ଗ: ଆଉ କେତେ ଦୁର୍ଘଟଣାକୁ ଅପେକ୍ଷା?
ଧୀରେ ଧୀରେ ଲୋକଙ୍କ ମନରୁ ହଟିଯିବାକୁ ବସିଲାଣି ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର୍ ଦୁର୍ଘଟଣା ପ୍ରସଙ୍ଗ। କିନ୍ତୁ ଆଜି ଯଦି କୌଣସି ସଚେତନ ବ୍ୟକ୍ତି ଥରେ ସେ ସ୍ଥାନକୁ ଯାଇ ଅନୁଧ୍ୟାନ କରନ୍ତି, ତେବେ ଏକଥା ନିଶ୍ଚିତ ଭାବରେ ମନରେ ଆସିପାରେ ଯେ ସମ୍ଭବତଃ ଆମେ ଆଉ ଏକ ଦୁର୍ଘଟଣାକୁ ଅପେକ୍ଷା କରିଛୁ!
ସୁରକ୍ଷା ବୋଧହୁଏ ଓଡ଼ିଶାର ରକ୍ତ ଓ ସଂସ୍କୃତିରେ ନାହିଁ। ଆପଣ କହିପାରନ୍ତି ଏହା ଆମ ଭାରତୀୟମାନଙ୍କ ରକ୍ତ ଓ ସଂସ୍କୃତିରେ ବି ନାହିଁ। ତେଣୁ କୌଣସି ସର୍ବସାଧାରଣ ଜାଗାରେ ଅନେକ ସମୟରେ ଆମେ ସାଧାରଣ ଓ ନିରୀହ ଲୋକଙ୍କ ଧନଜୀବନର ସୁରକ୍ଷାକୁ କିଭଳି ନିଜ ଜାଣତରେ ବା ଅଜାଣତରେ ବିପନ୍ନ କରୁ, ସେ ବିଷୟରେ ଆମର ପରବାୟ ନାହିଁ! ଆଉ ଯଦି କୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ କାମ ଚାଲିଥାଏ, ତେବେ ସେଠି ଆମକୁ ଯେମିତି ମଣିଷ ମାରିବାକୁ ବି ଲାଇସେନ୍ସ ମିଳିଯାଇଛି।
ଏକଥା ମୁଁ କାହିଁକି କହୁଛି ଆପଣ ବୁଝିପାରିବେ। ଯଦି ଆପଣଙ୍କ ହାତରେ ସମୟ ଅଛି, ଆଜି ଥରେ ବମିଖାଲଠାରେ ନିର୍ମାଣାଧୀନ ଓଭରବ୍ରିଜ୍ର ଅନ୍ୟ ଅଂଶ ଦେଖି ଆସନ୍ତୁ, ଆପଣଙ୍କୁ ଡର ଲାଗିବ। ଏ ଲେଖକ ନିକଟରେ ସଂପୃକ୍ତ ଅଞ୍ଚଳ ଯାଇ ଢଳେଇ ପଡ଼ିଥିବା ଆଉ ଗୋଟିଏ ଦୁଇଟି ସ୍ପାନ୍ ତଳେ ଲାଗିଥିବା ସେଣ୍ଟ୍ରିଂକୁ ଅତି ପାଖରୁ ଦେଖିଥିଲା। ଇଞ୍ଜିନିୟର ତ ଦୂରର କଥା, କୌଣସି ସାଧାରଣ ଲୋକ କହିବ ଯେ, କୌଣସି ମୁହୂର୍ତ୍ତରେ ସେଠାରେ ଆଉ ଏକ ସ୍ପାନ୍ ଭୁଶୁଡ଼ି ଦୁର୍ଘଟଣା ଘଟିପାରେ!
ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି। ସେଠାରେ ସେଣ୍ଟ୍ରିଂରେ ଯେଉଁସବୁ ଲୁହା ପାଇପ୍ ବ୍ୟବହାର କରାଯାଇଛି, ତାହା ଗୋଟିଏ ଉପରେ ଗୋଟିଏ ହୋଇ ରହିଛି। ଗୋଟିଏ ପାଇପ୍ ସହ ଆଉ ଏକ ପାଇପ୍କୁ ଯେଉଁଠାରେ ଯୋଡ଼ାଯାଉଛି, ସେଠି ତଳ ଓ ଉପର ଉଭୟ ପାଇପ୍ରେ ଚାରୋଟି ହୋଲ୍ ରହିଛି। ସାଧାରଣଭାବେ ବୁଝିବାକୁ ହେବ ଏହି ଚାରୋଟି ହୋଲ୍କୁ ଯୋଡ଼ି ତା’ ମଝିରେ ନଟ୍ ବୋଲ୍ଟ ବା ନିର୍ଦ୍ଧାରିତ ଖିଲ ଦେଇ ତାହା ପ୍ରସ୍ତୁତ କରିବା କଥା। କିନ୍ତୁ ଆମେ ଦେଖିଲୁ ଯେ ୧୦୦ରୁ ୯୦ ଭାଗ ସ୍କୋୟାର୍ ପାଇପ୍ ସଂଯୁକ୍ତ ସ୍ଥାନରେ ହୋଲ୍ଗୁଡ଼ିକ ମୁକୁଳା ରହିଛି। ଏହି ରିପୋର୍ଟରେ ଦିଆଯାଇଥିବା ଫଟୋରୁ ମଧ୍ୟ ଆପଣ ଅନୁମାନ କରିପାରିବେ ଏ ସାମ୍ବାଦିକ କ’ଣ ପ୍ରଶ୍ନ ଉଠାଇବାକୁ ଚାହୁଁଛି। ଏହା ସୁରକ୍ଷା ପ୍ରୋଟକଲ୍ ଦୃଷ୍ଟିରୁ ଏକ ଗଳିଆ କି ଏହା ବିଭାଗର ଏକ ନିୟମିତ ବ୍ୟବସ୍ଥା, ତାହା ବଡ଼ ବଡ଼ ଇଞ୍ଜିନିୟର ଭାଇଭଉଣୀମାନେ ହୁଏତ କହିପାରିବେ?
ରସୁଲଗଡ଼ରୁ କଳ୍ପନା ଯିବା ବାଟରେ ପଡ଼େ ବମିଖାଲ। ବମିଖାଲ ଛକରୁ ୩ ପାଖକୁ (ରସୁଲଗଡ଼, ସହିଦନଗର ଲେବଲକ୍ରସିଂ ଏବଂ କଳ୍ପନା) ଫ୍ଲାଏଓଭର ତିଆରି ଚାଲିଛି। କେତେ ବର୍ଷ ହେଲା ଚାଲିଛି ପଚାରିଲେ ହୁଏତ ଲୋକେ ମନେପକାଇ ପାରିବେ ନାହିଁ। ଯେଉଁ ସ୍ଥାନରେ ସେପ୍ଟେମ୍ବର ୧୦ ତାରିଖରେ ଦୁର୍ଘଟଣା ଘଟିଥିଲା, ଠିକ୍ ତା’ର ପାଖରେ ମଧ୍ୟ ସେଣ୍ଟ୍ରିଂ ଦିଆଯାଇ ଢଳେଇ ପଡ଼ିଛି। ଏହା ଏକ ଜନଗହଳିପୂର୍ଣ୍ଣ ରାସ୍ତା। ରାସ୍ତାର ଛାତି ଚିରି ମଝିରେ ଫ୍ଲାଏଓଭର ତିଆରି ହେଉଥିବାରୁ ଏବଂ ବର୍ଷ ବର୍ଷ ଧରି ଏଭଳି ଭାବରେ ବିପଦପୂର୍ଣ୍ଣ ବ୍ୟବସ୍ଥା ଲାଗିରହିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଯେ ଦୁର୍ଘଟଣା ଘଟିପାରେ, ଏକଥା ଯେକେହି ଅନୁମାନ କରିବେ।
ବିଭାଗୀୟ ବଡ଼ ବଡ଼ ଇଞ୍ଜିନିୟର ଏବଂ ତହୁଁ ବଡ଼ ସରକାରୀ ହାକିମମାନଙ୍କୁ ଆମର କେତୋଟି ପ୍ରଶ୍ନ:
୧. ଯେଉଁ ସ୍ଥାନରେ ଫ୍ଲାଏଓଭରରେ ଢଳେଇ ପଡ଼ୁଛି ଏବଂ ତା’ର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ପ୍ରତିଦିନ ଯିବାଆସିବା କରୁଛନ୍ତି, ତାହା ସୁରକ୍ଷିତ କି? ଯଦି ନୁହେଁ, ତେବେ ଏ ବାବଦରେ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି?
୨. ଏଭଳି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଂପୃକ୍ତ ସ୍ଥାନରେ କଂକ୍ରିଟ୍ ଢଳେଇ ପକାନଯାଇ ପ୍ରିକାଷ୍ଟିଂ ପଦ୍ଧତିରେ ଅନ୍ୟତ୍ର ସ୍ପାନ୍ଗୁଡ଼ିକୁ ପ୍ରସ୍ତୁତ କରି ଆଣି ଏଠାରେ ଯୋଡ଼େଇ କରାଯାଇପାରିବ ନାହିଁ କି? ସେହି ସ୍ଥାନରେ ଢଳେଇ ପକାଇବା ନିଷ୍ପତ୍ତି କାହାର?
୩. କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ, ବିଶେଷକରି ଫ୍ଲାଏଓଭର ଭଳି ଜଟିଳ ଓ ବ୍ୟାପକ କାମ ବେଳେ, ତା’ର ଆଖପାଖ ଅଞ୍ଚଳରେ କେତେ ଦୂରତା ପର୍ଯ୍ୟନ୍ତ ସୁରକ୍ଷା ବଳୟ ସୃଷ୍ଟି କରାଯିବା ଦରକାର, ସେ ବାବଦରେ କିଛି ନିୟମ ରହିଛି କି ନାହିଁ? ଯଦି ରହିଛି, ତାହା ପାଳନ ହେଉଛି କି?
୪. ବମିଖାଲ ଅଞ୍ଚଳରେ ଯେଭଳି ଭାବରେ ସେଣ୍ଟ୍ରିଂଗୁଡ଼ିକ ଲାଗିଛି ଯଦି ଦୁର୍ଘଟଣାବଶତଃ କୌଣସି ଗାଡ଼ି ତା’ ଦେହରେ ଧକ୍କା ହୁଏ, ଏପରିକି କୌଣସି ଗାଈଗୋରୁ ପଶିଆସନ୍ତି, ତାହେଲେ ଫ୍ଲାଏଓଭର ଧସିବାର ଆଶଙ୍କା ରହିଛି। ଏ ବାବଦରେ କେହି ସଚେତନ ଅଛନ୍ତି ନା ନାହିରେ ତେଲ ପକାଇ ଆମେ ନିଦରେ ଶୋଇଛନ୍ତି?
୫. କେବଳ ଫ୍ଲାଏଓଭର କଥା ନୁହେଁ, ରସୁଲଗଡ଼ରୁ କଳ୍ପନା ଯିବା ବାଟରେ ଯେଉଁ ଅଞ୍ଚଳରେ ଫ୍ଲାଏଓଭର ତିଆରି ଚାଲିଛି, ତା’ର ଉଭୟ ପାଖର ରାସ୍ତା ଆଉ ରାସ୍ତା ହୋଇ ରହିନାହିଁ। ବଡ଼ ବଡ଼ ଖାଲ, ସିମେଣ୍ଟ ଖଣ୍ଡ ପଡ଼ି ତାହା ସମ୍ପୂର୍ଣ୍ଣଭାବେ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। କିନ୍ତୁ ବିଚରା ସ୍ମାର୍ଟସିଟିର ନିରୀହ ନାଗରିକ ବାପୁଡ଼ା ସେହି ରାସ୍ତାରେ ବର୍ଷ ବର୍ଷ ଧରି ଉଠିପଡ଼ି ଚାଲିଛି। ପୂର୍ତ୍ତ ବିଭାଗର ବଡ଼ ବଡ଼ ଅଧିକାରୀ ଗତ ବର୍ଷକ ଭିତରେ କେତେଥର ସେହି ରାସ୍ତାରେ ଯାଇଛନ୍ତି, ମନେପକାନ୍ତୁ। ଯଦି ଯାଇନାହାନ୍ତି, ତେବେ ଆଜି ଏସି ରୁମ୍ରୁ ବାହାରି ମାତ୍ର ଦୁଇଥର ଯିବାଆସିବା କରି ଦେଖନ୍ତୁ। ତା’ପରେ ମାପି ଦେଖନ୍ତୁ ଆପଣଙ୍କ ରକ୍ତଚାପ କେତେ ବଢିଛି କି କମିଛି।
ବିକାଶ ନାଁରେ, ନିର୍ମାଣ ନାଁରେ ଆମେ ନିରୀହ ମଣିଷକୁ ମରଣଯନ୍ତାକୁ ଠେଲିଦେଉଛୁ। ତା’ ହୋଇନଥିଲେ ଆମର ଚରମ ଅବହେଳା ଯୋଗୁଁ ଘଟୁଥିବା ମଣିଷମରା ଘଟଣାକୁ ଆମେ ‘ହତ୍ୟା’ ନ କହି ‘ଦୁର୍ଘଟଣା’ ବୋଲି ବର୍ଣ୍ଣନା କରୁନଥାନ୍ତୁ କିମ୍ବା ଟିଭି କ୍ୟାମେରା ଆଗରେ ବାରମ୍ବାର ଦୁଃଖପ୍ରକାଶ କରି ଅନୂକମ୍ପା ରାଶି ଘୋଷଣା କରୁନଥାନ୍ତୁ।
ଆମ ଇଞ୍ଜିନିୟର, ପ୍ରଶାସକ, ନେତା ଓ କଣ୍ଟ୍ରାକ୍ଟରମାନଙ୍କୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ! ଆଜି ଇଞ୍ଜିନିୟର୍ସ୍ ଡେ ଅବସରରେ ଏହାହିଁ କାମନା।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ)
Tags: Engineers Day, Nilambar Rath, Bomikhal, Flyover, BomikhaL Flyover, Flyover Collapse, Over bridge Collapse, Flyover Accident, Odisha Flyover Accident, Bhubaneswar Flyover, Bomikhal Tragedy, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories
Excellent.That is a report from ground zero.Regarding safety,international companies do adhere to certain norms.For example,the L&T-CESU under ground cabling work now going on in Bhubaneswar has adequate provisions for the people plying with their vehicles.There is enough barricading and excavation etc is done only during night time.Problem is with the tendering and the nexus between engineers,contractors and politicians. The Bomikhal tragedy was going to happen some day because the contractor never had the experience of constructing a road,muchless a fly over.And,we all know, the PC culture is difficult to end.