ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ସ୍ୱଳ୍ପ ଅବଧି ପାଇଁ ବସିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ହେଲେ ଓଭରବ୍ରିଜ ଭୁଶୁଡିବା ପ୍ରସଙ୍ଗ, ଧାନ ସହାୟକ ମୂଲ୍ୟ, ଆଇନଶୃଙ୍ଖଳା ସ୍ଥିତି ଏବଂ ତୈଳ ଦର ବୃଦ୍ଧିକୁ ନେଇ ଗୃହ ବାରମ୍ବାର ଅଚଳ ହୋଇଥିଲା। କେତେବେଳେ ଶାସକ ତ ଆଉ କେତେବେଳେ ବିରୋଧୀ ପାଳି କରି ବିଧାନସଭାରେ ହଙ୍ଗାମା କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଶନିବାର ଶେଷ ହୋଇଛି। ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସ୍ପଳ୍ପ ଅବଧି ପାଇଁ ବସିଥିଲେ ମଧ୍ୟ ଏହା ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ହେଲେ ଏହି ଅଧିବେଶନ ଝଡରୁ ଆରମ୍ଭ ହୋଇ ଝଡ଼ରେ ଶେଷ ହୋଇଯାଇଛି।
ସେପ୍ଟେମ୍ବର ୭ ସକାଳ ସାଢ଼େ ଦଶଟାରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନର ପ୍ରଥମ ଦିନ। ତେବେ ଏହି ଦିନ କୌଣସି କାର୍ଯ୍ୟକ୍ରମ ହୋଇ ନଥିଲା। ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କୁ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବାଚସ୍ପତି ଗୃହ ମୁଲତବି କରିଥିଲେ।
୮ ତାରିଖରେ କିନ୍ତୁ ବିଧାନସଭାର ମାହୋଲ ସମ୍ପୂର୍ଣ୍ଣ ଗରମ୍ ହୋଇଯାଇଥିଲା। ସେହି ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ଆଉ ୮ ତାରିଖରେ ହିଁ ଭୁବନେଶ୍ୱର ଜନତା ମଇଦାନରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିବା ସହ ଏହି ସରକାରକୁ ଉପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ।
ବିଜେପି ରାଷ୍ଟ୍ରୀୟ ସଭାପତି ଶାହା ଗୃହ ବାହାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ବେଳେ ଗୃହ ଭିତରେ ଶାସକ ବିଜେଡି ସଭ୍ୟମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅସ୍ତ୍ର କରିଥିଲେ। ବିଧାନସଭାରେ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ। ଶେଷରେ ବାଚସ୍ପତିଙ୍କୁ ଗୃହ ମୁଲତବି କରିବାକୁ ପଡିଥିଲା। ଏହାପରେ ବିଜେଡି ବିଧାୟକ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି, ”ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଥିଲା ସ୍ୱତନ୍ତ୍ର। ଏହି ଅଧିବେଶନରେ ବହୁ ବିଲ୍ ପାରିତ ହୋଇଛି। ପୂର୍ବ ଅଧିବେଶନ ଭଳି ବିରୋଧୀ ଏଥର ସହଯୋଗ କରିଛନ୍ତି। ତେବେ ଗୃହ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇନାହିଁ।”
୯ଓ ୧୦ ତାରିଖ ଛୁଟି ପରେ ୧୧ ତାରିଖରେ ଅଧିବେଶନ ପୁଣି ଆରମ୍ଭ ହୋଇଥିଲା। ହେଲେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା।
୧୦ ତାରିଖରେ ଭୁବନେଶ୍ବର ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍ ଭୁଶୁଡି ପଡିବାରୁ ଏହା ବିରୋଧୀଙ୍କୁ ଖୋରାକ୍ ଯୋଗାଇଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ଅସ୍ତ୍ର କରି ବିଧାନସଭା ହୁଲସ୍ତୁଲ କଲେ। ଠିକା ସଂସ୍ଥା ସହ ବିଜେଡି ବିଧାୟକଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଥିଲେ। ବମିଖାଲ ଓଭରବ୍ରିଜ କାହିଁକି ଭୁଶୁଡିଲା ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ। ୧୨ ତାରିଖରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ବିରୋଧୀ ହୋ-ହଲ୍ଲା କରିଥିଲେ।
ସେହିପରି ୧୩ ତାରିଖରେ ମଧ୍ୟ ସାମନ ପ୍ରସଙ୍ଗ ଉଠିବାରୁ ବାଚସ୍ପତି ଗୃହ ମୁଲତବି କରିଥିଲେ। ତେବେ ବିଧାୟକ ପାଣ୍ଠି ଓ ଦରମା ବଢ଼ାଇବା ଲାଗି ସମସ୍ତ ବିଧାୟକ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହିଦିନ ହିଁ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି କରାଯାଇଥିଲା।
୧୪ ତାରିଖରେ ଗୃହ ସ୍ୱାଭାବିକ ଢ଼ଙ୍ଗରେ ଚାଲିଥିଲା। ହେଲେ ୧୫ ତାରିଖରେ ପୁଣି ବିଧାନସଭାରେ ତାତି ଫେରିଥିଲା।  ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଗତ କରିଥିଲେ। ହେଲେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ବିରୋଧୀ ସଭ୍ୟ ଗୃହ ମଝିକୁ ଚାଲିଆସି ସ୍ଲୋଗାନ୍ ଦେଇଥିଲେ। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି, ”ଚଳିତ ଅଧିବେଶନ ହେଉଛି ସବୁଠୁ ବିଫଳ ଅଧିବେଶନ। କାରଣ ଏହି ଅଧିବେଶନରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା ତାହା ହୋଇପାରିଲା ନାହିଁ। ବମିଖାଲ ଓଭରବ୍ରିଜ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାର ଥିଲା। କିନ୍ତୁ କଂଗ୍ରେସ ଦଳ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ସୁରକ୍ଷା ଦେଇଛି।”
୧୬ ତାରିଖ ଅର୍ଥାତ୍ ଶେଷ ଦିନରେ ବି ଗୃହରେ ଝଡ ଉଠିଥିଲା। ପ୍ରଶ୍ନକାଳ ଆରମ୍ଭରୁ ତୈଳ ଦର ବୃଦ୍ଧିକୁ କଂଗ୍ରେସ ଅସ୍ତ୍ର କରିଥିଲା। ଏଥିରେ ବିଜେଡି ସ୍ୱର ମିଳାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ଅଧିବେଶନରେ ୧୪ଟି ବିଲ୍‌ ପାସ୍ ହୋଇଛି।
ପ୍ରସ୍ତୁତି : ସରୋଜ ମହାପାତ୍ର
Tags: Odisha Assembly, Odisha News, Odisha, Congress, Bjd, Chief Minister, Opposition Party, Bhubaneswar News, Odisha Hot News, Assembly News, Chief Minister

Comment