ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୬୫ ଭାରତ-ପାକ୍‍ ଯୁଦ୍ଧର ମହାନାୟକ ମାର୍ଶଲ ଅର୍ଜନ ସିଂଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରୁ ଅର୍ଜନ ସିଂଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବରାର ସ୍କୋୟାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ତାଙ୍କୁ ୨୧ଟି ତୋପ ସଲାମୀ ଦିଆଯାଇଛି। ଏହା ବ୍ୟତୀତ ତାଙ୍କୁ ଫ୍ଲାଇ ପାଷ୍ଟ ମଧ୍ୟ ଦିଆଯାଇଥିଲା।
ଅର୍ଜନ ସିଂଙ୍କୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ସମସ୍ତ କୋଠାରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଭାରତୀୟ ସେନାର ୩ ପ୍ରମୁଖ ବରାର ସ୍କୋୟାର ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶନିବାର ୯୮ ବର୍ଷ ବୟସରେ ଅର୍ଜନ ସିଂହଙ୍କ ଦେହାନ୍ତ ହୋଇଥିଲା।
୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଅର୍ଜନ ସିଂ। ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେତେବେଳେ ସେ ପାଇଲଟ୍ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ୧୯୪୪ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ-ଇଣ୍ଡିଆନ୍ ସେନାର ପାଇଲଟ୍ ଅଫିସର ଭାବେ ସେ ଜାପାନୀ ସେନା ବିରୋଧରେ ଲଢେଇ କରିଥିଲେ। ଏହି ବୀରତ୍ୱ ପ୍ରଦର୍ଶନ ଯୋଗୁଁ ସେତେବେଳେ ତାଙ୍କୁ ଲର୍ଡ ମାଉଣ୍ଟ ବ୍ୟାଟେନ୍ ନିଜେ ଭେଟିବାକୁ ପହଞ୍ଚିଥିଲେ।
୪୪ ବର୍ଷ ବୟସରେ ସେ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଅର୍ଜନ। ପଠାନକୋଟ୍ ଓ ୱାଘା ବର୍ଡର ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ପାକ୍ ସେନାକୁ ଧୂଳି ଚଟାଇଥିଲେ ସେ।
୧୯୭୦ରେ ବାୟୁସେନାରୁ ଅବସର ନେଇଥିବା ଅର୍ଜନ ସିଂଙ୍କୁ ୨୦୦୨ରେ ମାର୍ଶଲ ରାଙ୍କ୍‌‌ ଦିଆଯାଇଥିଲା। ଏହାସହ ତାଙ୍କୁ ଦେଶର ଦ୍ୱିତୀୟ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। ଅବସର ପରେ ସ୍ୱିଜରଲ୍ୟାଣ୍ଡ ଓ କେନିୟାରେ ଭାରତର ହାଇକମିଶନର୍ ଥିଲେ ଅର୍ଜନ। ୧୯୮୯ରେ ସେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୨ରେ ବାୟୁସେନାର ଫାଇଭ୍ ଷ୍ଟାର ରାଙ୍କ୍‌‌କୁ ପଦୋନ୍ନତି ପାଇଥିଲେ ସେ।

Tags: Air Force, Arjan Singh, Marshal Arjan Singh, Bhubaneswar News, Breaking News, India-Pakistan war, Latest News, Marshal of Air Force, Modi, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here