ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଡିସେମ୍ଵର ୧୬  ତାରିଖରେ ଏହି ଯୁଦ୍ଧରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ପରେ ଭାରତ ସହାୟତାରେ ସୃଷ୍ଟି ହୋଇଥିଲା ବାଂଲାଦେଶ

୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି ଦିନ ପାକିସ୍ତାନଠାରୁ ଭାରତର ଐତିହାସିକ ବିଜୟର ସୂଚନା ଦିଏ। ୧୯୭୧ ମସିହା ଡିସେମ୍ଵର ୧୬ ତାରିଖରେ ଯୁଦ୍ଧରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତ। ଏହି ଯୁଦ୍ଧରେ ଭାରତର ୩,୯୦୦ ସୈନିକ ସହିଦ ହୋଇଥିବାବେଳେ ୯,୮୫୧ ସୈନ୍ୟ ଆହତ ହୋଇଥିଲେ। ସେବେଠାରୁ ଏହି ଦିନକୁ ମନେ ରଖିବା ପାଇଁ ବିଜୟ ଦିବସ ପାଳିତ ହୋଇଆସୁଛି।

ଏହି ଯୁଦ୍ଧ ପରେ ୯୩ ହଜାର ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରିଥିଲେ। ଏହି ଦିନ କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ ଦିନ। କାରଣ ଏହି ଦିନ ବାଂଲାଦେଶ ସ୍ଵତନ୍ତ୍ର ରାଷ୍ଟ୍ର ହୋଇଥିଲା। ଏହି ଯୁଦ୍ଧ ସହ ଜଡ଼ିତ ଏମିତି କିଛି କଥା, ଯାହାକି ଭାରତର ଏହି ବିଜୟକୁ ମନେ ପକାଇଥାଏ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ବିଗୁଲ ବାଜିଥିଲା। ପାକିସ୍ତାନର ସୈନିକ ତାନସାହ ୟାହିୟା ଖାଁ ୨୫ ମାର୍ଚ୍ଚ ୧୯୭୧ରେ ପୂର୍ବ ପାକିସ୍ତାନର ଭାଷା ଓ ସଂସ୍କୃତିକୁ ବିରୋଧ କରି ସେଠାକାର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣା ପରେ ବର୍ତ୍ତମାନ ବାଂଲାଦେଶର ଜନକ ଭାବେ ପରିଚିତ ଶେଖ ମୁଜିବୁର ରେହମାନଙ୍କୁ ଗିରଫ କରାଯାଇଥିଲା। ଏଭଳି ହେବା ଯୋଗୁଁ ପୂର୍ବ ପାକିସ୍ତାନ ଅର୍ଥାତ ବାଂଲାଦେଶରୁ ଅନେକ ଶରଣାର୍ଥୀ ଭାରତ ଚାଲି ଆସିଥିଲେ। ଯେତେବେଳେ ଏହି କଥା ଭାରତ ଜାଣିବାକୁ ପାଇଲା, ସେତେବେଳେ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଥିଲା।

ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ ଏପ୍ରିଲ ମାସରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଉ। ଏନେଇ ଇନ୍ଦିରା ଗାନ୍ଧୀ ଭାରତର ତତ୍କାଳୀନ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମାଣିକସାଙ୍କ ସହ କଥା ହୋଇଥିଲେ।

ଏହି ସମୟରେ ଭାରତ ପାଖରେ କେବଳ ଗୋଟିଏ ମାଉଣ୍ଟେନ ଡିଭିଜନ ଥିଲା। ହେଲେ ଏହି ଡିଭିଜନ ପାଖରେ ବ୍ରିଜ ନିର୍ମାଣ କରିବାର କ୍ଷମତା ନାହିଁ। ସେତେବେଳେ ବର୍ଷା ଋତୁ ଆରମ୍ଭ ହେଉଥାଏ ଏମିତି ସମୟରେ ପୂର୍ବ ପାକିସ୍ତାନରେ ପ୍ରବେଶ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା।

ଏନେଇ ୩ ଡିସେମ୍ଵର ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ କୋଲକତାରେ ଏକ ଜନସଭାର ଆୟୋଜନ କରିଥିଲେ। ଏହି ସମୟରେ ପାକିସ୍ତାନ ବାୟୁସେନା ବିମାନ ସହାୟତାରେ ଭାରତୀୟ ସୀମା ପାର୍‌ କରି ପଠାନକୋଟ୍‌, ଶ୍ରୀନଗର, ଅମୃତସର, ଯୋଧପୁର, ଆଗ୍ରାରେ ଥିବା ଭାରତୀୟ ସେନା ଉପରେ ଆକାଶରୁ ବମ୍‌ ମାଡ଼ କରିଥିଲା।

ଇନ୍ଦିରା ଗାନ୍ଧୀ ସେହି ସମୟରେ ଦିଲ୍ଲୀ ଫେରି ମନ୍ତ୍ରୀ ମଣ୍ଡଳର ଜରୁରୀକାଳିନ ବୈଠକ କରିଥିଲେ। ଏହାପରେ ଭାରତୀୟ ସେନା ଯୁଦ୍ଧ ଆରମ୍ଭ କରିଦେଲା। ପୂର୍ବରୁ ଭାରତୀୟ ସେନା ଆକ୍ରମଣ କରି ଜେସୋର ଓ ଖୁଲ୍ଲନା କବ୍‌ଜା କରିଥିଲେ। ଭାରତୀୟ ସେନାଙ୍କ ରଣନୀତି ଥିଲା ଯେ, ମୁଖ୍ୟ ସ୍ଥାନଗୁଡ଼ିକୁ ଛାଡ଼ି ଆଗକୁ ଯିବା। ମାଣିକସା ଖୁଲ୍ଲଣା ଓ ଚଟଗାଁ ଉପରେ ହିଁ କବ୍‌ଜା କରି ରହିଥିଲେ। ଯାହାଫଳରେ ଢାକା ଉପରେ କବ୍‌ଜା କରିପାରିନଥିଲେ।

୧୪ ଡିସେମ୍ଵରକୁ ଭାରତୀୟ ସେନାଙ୍କୁ ସୂଚନା ମିଳିଥିଲା କି ଢାକାର ସରକାରୀ ହାଉସରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବାର ଅଛି। ଯେଉଁଥିରେ ପାକିସ୍ତାନୀ ପ୍ରଶାସକ ଭାଗ ନେବାର ଥିଲା। ଏହା ଜାଣି ଭାରତୀୟ ସେନା ବୈଠକ ଚାଲିଥିବା ସମୟରେ ମିଗ୍‌-୨୧ ବିମାନରେ ଭବନ ଉପରେ ବମ୍‌ ପକାଇ ଦେଇଥିଲା। ଯାହାପରେ ଗଭର୍ଣ୍ଣର ଇସ୍ତାଫା ଦେଇ ଦେଇଥିଲେ।

୧୬ ଡିସେମ୍ଵରକୁ ପାକିସ୍ତାନ ସେନାମୁଖ୍ୟଙ୍କୁ ଆତ୍ମସମର୍ପଣ ପାଇଁ ମାଣିକସା ନିର୍ଦ୍ଦେଶ ଦେଇଥିଲେ। ହେଲେ ଢାକାରେ ପାକିସ୍ତାନର ୨୬ ହଜାର ୪୦୦ ସୈନ୍ୟ ଥିଲେ। ଯେଉଁଠି ଭାରତ ପାଖରେ ୩ ହଜାର ସୈନ୍ୟ ଥିଲେ। ଆତ୍ମସମର୍ପଣ କରିବାର ଦସ୍ତାବିଜ ପାକିସ୍ତାନ ସେନାମୁଖ୍ୟଙ୍କ ପାଖକୁ ପଠାଯାଇଥିଲା।

ପରେ ସେହି ଦସ୍ତାବିଜରେ ଦସ୍ତଖତ କରିଥିଲେ। ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ପାକିସ୍ତାନର ୯୩ ହଜାର ସୈନିକଙ୍କୁ ବନ୍ଦୀ କରି ଦେଇଥିଲେ। ଏହି ସମୟରେ ଇନ୍ଦିରା ଗାନ୍ଧୀ ସଂସଦ ଭବନରେ ଏକ ଟିଭି ଇଣ୍ଟରଭ୍ୟୁ ଦେଉଥିଲେ। ସେହି ସମୟରେ ଜେନେରାଲ ମାଣିକସା ବାଂଲାଦେଶରେ ହୋଇଥିବା ଐତିହାସିକ ବିଜୟ ବିଷୟରେ ଜଣାଇଥିଲେ।

Tags: #VijayDiwas #India #Pakistan #16December #IndiaPakistanWar

Comment