ଓଡ଼ିଶାଲାଇଭ୍ବ୍ୟୁରୋ

‘ମିଶନ୍-୧୨୦’ ହାସଲର ଲକ୍ଷ୍ୟ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ୩ ଦିନର ରହଣି ଭିତରେ ବିଜେଡି ସରକାର ଉପରେ ବର୍ଷିଥିଲେ। ଏପରିକି ନବୀନ ସରକାରଙ୍କୁ ‘ପୋଡା ଟ୍ରାନ୍ସଫର୍ମର’ କହିବାକୁ ପଛାଇ ନଥିଲେ। ପୋଡି ଯାଇଥିବା ଟ୍ରାନ୍ସଫର୍ମରକୁ ଉପାଡି ଫିଙ୍ଗି ଦେବାକୁ ବିଜେପି କର୍ମୀଙ୍କୁ ଆହ୍ବାନ ଦେଇଥିଲେ।
ଅମିତ ଶାହା ଗତ ୮ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିଜେଡି ଶିବିରରେ ନିଆଁ ଲଗାଇଥିଲେ। ଶାହାଙ୍କୁ କାଉଣ୍ଟର କରିବା ଲାଗି ବିଜେଡି ନେତା ଆଗକୁ ଆସିଥିଲେ ହେଁ କର୍ମୀ ଓ ସମର୍ଥକମାନଙ୍କୁ ଏହା ସନ୍ତୁଷ୍ଟ କରିପାରି ନ ଥିଲା। ବିଜେପିକୁ ପାନେ ଚଖାଇବା ପାଇଁ ଏମାନେ ସୁଯୋଗ ଖୋଜୁଥିଲେ। ଆଉ ଠିକ୍ ସମୟରେ ତୈଳ ଦର ବୃଦ୍ଧି ବିଜେଡି କର୍ମୀ ଓ ସମର୍ଥକଙ୍କ ପାଇଁ ଅସଲ ସୁଯୋଗ ପାଲଟିଗଲା। ୭ ଦିନ ହେଲା ଜଳୁଥିବା ଅସନ୍ତୋଷ ନିଆଁକୁ ଏମାନେ ‘ହକ୍ ପାଇଁ ହରତାଲ୍‌’ ମାଧ୍ୟମରେ ପ୍ରତିଫଳିତ କରିଥିବା ରାଜନୀତି କରିଡରରେ ଆଲୋଚନା ହେଉଛି।
ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ମନ୍ତବ୍ୟର ଜବାବ ଦେବା ଲାଗି ବିଜେଡି କର୍ମୀ ଓ ସମର୍ଥକମାନେ ରାଜଧାନୀ ଭୁବନେଶ୍ବରରେ ଏଭଳି କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି।
୨୦୧୯ ନିର୍ବାଚନକୁ ଆହୁରି ୧୭ ମାସ ବାକି ରହିଛି। ବିଜେପି ଓଡିଶାକୁ କବ୍‌ଜା କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି। ଗୋଟିଏ ବର୍ଷରେ ଅମିତ ଶାହାଙ୍କ ୪ ଥର ଓଡିଶା ଗସ୍ତ ହେଉଛି ଏହାର ପ୍ରମାଣ। ଶାହାଙ୍କ ଥରକୁ ଥର ଆଗମନ ଏବେ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିବା ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। ଏହାସହ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟହାର ବୃଦ୍ଧି ପରେ ବିଜେପି ନେତା ଉତ୍ସାହିତ ହୋଇ ଯାଇଛନ୍ତି।
ବିଜେଡି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବା ପାଇଁ ବିଜେପି ସୁଯୋଗ ହାତଛଡା କରୁନି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି କର୍ମୀ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ଏହାକୁ ନେଇ ବିଜେଡି କର୍ମୀ ବିବ୍ରତ ହୋଇଯାଇଥିଲେ। ଏହା ବ୍ୟତୀତ ଗତ ସପ୍ତାହରେ ଶାହାଙ୍କ ଗସ୍ତ ଏବଂ ବିସ୍ଫୋରକ ମନ୍ତବ୍ୟ ବିଜେଡି କର୍ମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲା। ଶାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କଡା ଟିପ୍ପଣୀ ଦେଇ ବିଜେଡି କର୍ମୀଙ୍କ ମନକୁ ଆନ୍ଦୋଳିତ କରିଥିଲେ। ଏହାର ପ୍ରମାଣ ସୋମବାର ଭୁବନେଶ୍ବରେ ଦେଖିବାକୁ ମିଳିଛି।
ରାଜଭବନ ଛକରେ ବିଜେପି-ବିଜେଡି କର୍ମୀ ଧସ୍ତାଧସ୍ତି ଘଟଣା ହେଉ କି ଏଜି ଛକରେ ବିଜେପି ନେତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ଘଟଣା  ହେଉ, ଏସବୁଥିରୁ ସ୍ପଷ୍ଟ ହେଉଛି ଯେ, ଶାହାଙ୍କ ପୋଡା ‘ଟ୍ରାନ୍ସଫର୍ମର’ ମନ୍ତବ୍ୟ ବିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଗଭୀର କ୍ଷତ ସୃଷ୍ଟି କରିଛି। ଯେଉଁଥିପାଇଁ ଶାନ୍ତିପୂର୍ଣ୍ଣ ହରତାଲରେ ବିଜେଡି କର୍ମୀ ପ୍ରଥମ ଥର ପାଇଁ ହିଂସାକାଣ୍ଡ ଘଟାଇଥିବା ରାଜନୀତି ପଣ୍ଡିତ ମତ ଦେଇଛନ୍ତି।
ସବୁଠୁ ବଡ କଥା ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ପେଟ୍ରୋଲିୟମ୍ ବିଭାଗ ରହିଥିବାରୁ ଏବଂ ଧର୍ମେନ୍ଦ୍ର ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରୁଥିବାରୁ ଏହାର ଅସନ୍ତୋଷ ପ୍ରତିଫଳିତ ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Tags: Dharmendra Pradhan, Amit saha, Bjd Leader, Odisha News, Odisha Political News, Spot News, Bjd Protest, Odisha Hot News, Transformer, Bjp Rally, Bhubaneswar News

 

LEAVE A REPLY

Please enter your comment!
Please enter your name here