ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାରଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ୪.୦ ଲାଗୁ ହୋଇପାରେ। ଏହି ଲକ୍‌ଡାଉନ୍ ଏକ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ କହି ସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି କଥା ପରେ ଏବେ ଲକ୍‌ଡାଉନ୍‌ ୪.୦କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଲକ୍‌ଡାଉନ୍‌ ୪.୦ରେ ସରକାର ଲୋକମାନଙ୍କ ପାଇଁ କେଉଁ କେଉଁ ନିୟମ କୋହଳ କରିବେ ତାକୁ ନେଇ ଆଲୋଚନା ମଧ୍ୟ ହେଉଛି।

ଲକ୍‌ଡାଉନ୍‌ ୪.୦ ପାଇଁ ମଧ୍ୟ ଅମିତ ଶାହଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି।

ସମ୍ପୂର୍ଣ୍ଣ ଖୋଲିପାରେ ଗ୍ରୀନ ଜୋନ୍‌

ଗ୍ରୀନ ଜୋନ୍‌ ସମ୍ପୂର୍ଣ୍ଣ ଖୋଲିବ ବୋଲି ବୈଠକରେ କୁହାଯାଇଛି। ସେହିପରି ଅରେଞ୍ଜ ଜୋନ୍‌ରେ ପ୍ରତିବନ୍ଧକ ଅତି କମ୍‌ ରହିବ। କଟକଣା କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ରହିବ। ସେହିପରି ରେଡ୍‌ ଜୋନ୍‌ରେ ସେଲୁନ, ସ୍ପା ଖୋଲାଯିବ।

ଟ୍ରେନ, ବସ୍‌ ଓ ମେଟ୍ରୋ ସେବା ଆରମ୍ଭ ହୋଇପାରେ

କଣ୍ଟେନମେଣ୍ଟ ଜୋନ୍‌ ବାହାରେ କଟକଣା ସହିତ ବସ୍‌, ଟ୍ରେନ ଓ ମେଟ୍ରୋ ଚାଲିପାରିବ। ଦିଲ୍ଲୀ ମେଟ୍ରୋ ମଧ୍ୟ ଏଥିପାଇଁ ପ୍ରସ୍ତୁତି କରିସାରିଛି। ଏହାସହ ଯାତ୍ରୀ ସଂଖ୍ୟାରେ ପ୍ରତିବନ୍ଧକ ଲଗାଇ ରେଡ୍‌ ଜୋନରେ ଅଟୋ ରିକ୍ସା ମଧ୍ୟ ଚାଲିପାରିବ।

ରାଜ୍ୟଗୁଡ଼ିକୁ ଜୋନ୍‌ ସ୍ଥିର କରିବାକୁ ଅଧିକାର ଦିଆଯିବ

ରାଜ୍ୟଗୁଡ଼ିକ କରୋନା ଭାଇରସ ସଂକ୍ରମଣ ଆଧାରରେ ଜୋନ୍‌ ସ୍ଥିର କରିବାକୁ ଅନୁମତି ମାଗିଛନ୍ତି। ତେବେ କେନ୍ଦ୍ର ସରକାର ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହି ଅଧିକାର ଦେଇପାରନ୍ତି। ଦେଶରେ ବର୍ତ୍ତମାନ କୌଣସି ବି ସ୍ଥାନରେ ସ୍କୁଲ, କଲେଜ ଓ ସିନେମା ହଲ୍‌ ଖୋଲିବ ନାହିଁ।

ଅଡ୍ ‌ଇଭିନ୍‌ ଫର୍ମୁଲାରେ ଖୋଲିବ ଦୋକାନ

କୁହାଯାଉଛି ଯେ ଲକ୍‌ଡାଉନ୍‌ ୪.୦ରେ ଦୋକାନ ଖୋଲିବା ପାଇଁ ଅଡ୍‌-ଇଭିନ ଫର୍ମୁଲା ଲାଗୁ ହୋଇପାରେ। କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଇ-କମର୍ସ କମ୍ପାନିଗୁଡ଼ିକ ରେଡ୍‌ ଜୋନରେ ଡେଲିଭରି କରିପାରିବେ। ଅନ୍ୟପକ୍ଷରେ କିଛି ରାଜ୍ୟ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଉଠାଇବା ସପକ୍ଷରେ ନାହାନ୍ତି।

Comment