ଓଡ଼ିଶାଲାଇଭ୍‌ ବ୍ୟୁରୋ  

କଟକ: ପୁଅ ପ୍ରତି ଅନ୍ୟାୟ ହୋଇଥିବା ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ରାଜ୍ୟରେ ଏବେ ତୁମ୍ବି ତୋଫାନ ଚାଲଛି। ଏହି ଘଟଣାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଡିଜି ଅଭୟ ଉଚ୍ଚସ୍ତରୀୟ ତଦନ୍ତ ଲାଗି ଆଇଜି ରେଖା ଲୋହାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ କାରଣକୁ ନେଇ ମହିଳା ନେତ୍ରୀ ଜଣକ ନିଜେ ଆତ୍ମହୁତି କରିଥିଲେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ଡିଜି ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି।

ବ୍ରହ୍ମପୁର ପଣ୍ଡା କଲୋନୀରେ ରହୁଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଘର ପାଖରେ ଏକ ବାଇକ୍ ପାର୍କିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ମିନାକ୍ଷୀଙ୍କ ପୁଅଙ୍କ ସହ ଆଉ ଏକ ଗୋଷ୍ଠୀ ମାଧ୍ୟମରେ ଜାନୁଆରି ୨୮ ତାରିଖରେ ଗଣ୍ଡଗୋଳ ଘଟିଥିଲା। ଉକ୍ତ ଘଟଣାରେ ସ୍ଥାନୀୟ ବୈଦ୍ୟନାଥପୁର ଥାନା ପୋଲିସ୍ ଉଭୟ ପକ୍ଷଙ୍କ ଏତଲାରେ ଦୁଇଟି ମାମଲା ରୁଜୁ କରିଥିଲା। ଗଣ୍ଡଗୋଳ ଘଟଣାରେ ପୋଲିସ୍ ମିନାକ୍ଷୀଙ୍କ ପୁଅଙ୍କ ସହ ଆରଗୋଷ୍ଠୀର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା।

ପୁଅର ଗିରଫଦାରୀକୁ ମିନାକ୍ଷୀ ବିରୋଧ କରିଥିଲେ। ପୁଅ ପ୍ରତି ପୋଲିସ୍ ଅନ୍ୟାୟ କରାଯାଇଛି ବୋଲି ସେ ଫେବ୍ରୁଆରି ୪ ତାରିଖରେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍ ଗତ ୧୨ ତାରିଖରେ ମିନାକ୍ଷୀ ପୁନର୍ବାର ଏସ୍‌ପିଙ୍କ ଅଫିସ୍‌ରେ ପହଞ୍ଚି ପୁଅ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ଜଣାଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ମିନାକ୍ଷୀଙ୍କୁ ପୋଲିସ୍ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ମହିଳାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ପରେ ଏଠାରୁ ଡାକ୍ତର ତାଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏସ୍‌ସିବିରେ ଚିକିତ୍ସା ହେବାର ଦିନ କେଇଟା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧିନ ମାଧ୍ୟମରେ ଗତ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ଉକ୍ତ ଘଟଣାକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ ତୁମ୍ଵି ତୋଫାନ ଜାରି ରହିଛି। ଅନ୍ୟପକ୍ଷରେ ଉକ୍ତ ସମ୍ବେଦନଶୀଳ ଘଟଣାକୁ ଡିଜି ଗମ୍ଭୀରତାର ସହ ଅନୁଧ୍ୟାନ କରୁଛନ୍ତି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ପୋଲିସ୍ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ଆଇଜି ଆଧୁନିକୀକରଣ ରେଖା ଲୋହାନୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here