ଓଡ଼ିଶାଲାଇଭ୍ ବ୍ୟୁରୋ

“କୋଭିଡ୍ ମାମଲାରେ ପୋଲିସଗିରି କରି ଆମକୁ ଆନନ୍ଦ ମିଳୁନି। ପୋଲିସର କାମ ଅପରାଧ ନିୟନ୍ତ୍ରଣ କରିବା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୋଲିସ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନକାରୀଙ୍କୁ ଜଗୁଛି। ଏଭଳି କରିବା ଦ୍ୱାରା ପୋଲିସକୁ ବୃତ୍ତିଗତ ସନ୍ତୁଷ୍ଟି ମିଳୁନଥିଲେ ମଧ୍ୟ ଆମେ ଏସବୁ କରିବାକୁ ବାଧ୍ୟ ହେଉଛୁ। ତେଣୁ ଦୟାକରି ଆପଣମାନେ କୋଭିଡ୍ ଗାଇଡଲାଇନ୍‌କୁ ପାଳନ କରନ୍ତୁ,” କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ କୋଭିଡ୍ ମହାମାରୀ ବିପକ୍ଷରେ କିଭଳି ଲଢ଼ିବାକୁ ପଡ଼ିବ ଏବଂ ଏହାର ମୁକାବିଲା ପାଇଁ କେଉଁ ଦିଗ ଉପରେ ବେଶି ଧ୍ୟାନ ଦେବା ଦରକାର ସେ ସମ୍ପର୍କରେ ସଚେତନ କରାଇଥିଲେ।

ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ତିନୋଟି ଦିଗ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଡିଜି। ସେ କହିଛନ୍ତି, “ସମସ୍ତେ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ମାନନ୍ତୁ। ରାଜ୍ୟର ସହରାଞ୍ଚଳ ପାଇଁ ଘୋଷଣା କରାଯାଇଥିବା ସଟ୍‌ଡାଉନ୍ ଓ ନାଇଟ କର୍ଫ୍ୟୁ ସମୟରେ ଜରୁରୀ ନଥିଲେ, କେହି ଘରୁ ବାହାରନ୍ତୁ ନାହିଁ। ମୁହଁରେ ସଠିକ୍ ଭାବରେ ମାସ୍କ ପିନ୍ଧନ୍ତୁ। କୋଭିଡ୍ ଚେନ୍‌କୁ ଭାଙ୍ଗିବାରେ ମାସ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସମସ୍ତେ ସବୁବେଳେ ମାସ୍କ ପିନ୍ଧିବେ, ତେବେ ରାଜ୍ୟରେ ଏହି ସଂକ୍ରମଣକୁ ଶୀଘ୍ର ରୋକା ଯାଇପାରିବ। ପରସ୍ପର ମଧ୍ୟରେ ୨ମିଟର ବ୍ୟବଧାନର ସାମାଜିକ ଦୂରତା ରକ୍ଷା କରନ୍ତୁ। ଅଯଥା କୌଣସି ସ୍ଥାନରେ ଗହଳି ଜମାନ୍ତୁ ନାହିଁ।”ଏପ୍ରିଲ ମାସରେ ଆଦାୟ ହୋଇଛି ୫କୋଟିରୁ ଅଧିକ ଜରିମାନା

  • ମାସ୍କ ପିନ୍ଧିନଥିବା ପାଇଁ ଦେଢ଼ ଲକ୍ଷ ଲୋକଙ୍କଠାରୁ ଆଦାୟ ହୋଇଛି ୫କୋଟି ୨୪ଲକ୍ଷରୁ ଅଧିକ ଜରିମାନା
  • ଉଭୟ ମାସ୍କ ଓ ସାମାଜିକ ଦୂରତା ଉଲ୍ଲଙ୍ଘନକାରୀଙ୍କଠାରୁ ୫କୋଟି ୬୬ଲକ୍ଷରୁ ଅଧିକ ଜରିମାନା ଆଦାୟ
  • କୋଭିଡ୍ ନିୟମ ଉଲ୍ଲଙ୍ଘନ ପାଇଁ ୩୫୦ ଦୋକାନ ଓ ଶିକ୍ଷାନୁଷ୍ଠାନ ସିଲ୍‌
  • କଟକଣାକୁ ଅବମାନନା କରି ୪୧୮ ଗିରଫ, ୧୮ହଜାର ଗାଡ଼ି ଜବତ
  • ୧୩ଶହରୁ ଅଧିକ ଅବକାରୀ ମାମଲା ରୁଜୁ

Comment