ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସଙ୍କଟ ସମୟରେ ବଢ଼ିବାରେ ଲାଗିଛି ସାଇବର୍ କ୍ରାଇମ। ତେଣୁ କୌଣସି ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଭଲ କରି ଯାଞ୍ଚ କରନ୍ତୁ। ବିନା ଯାଞ୍ଚରେ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ବିଭିନ୍ନ ଫେକ୍ ସଂସ୍ଥା ଦ୍ୱାରା ଦିଆଯାଇଥିବା ନମ୍ବରରେ କଲ୍ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ।

କୋଭିଡ୍ ମହାମାରୀକୁ ନଡରି କିଭଳି ସାହସର ସହ ସାମ୍ନା କରିବେ ଏବଂ ଏହି ସଙ୍କଟ ସମୟରେ କିପରି ଠକାମିରୁ ରକ୍ଷା ପାଇବେ ସେ ନେଇ ପ୍ରତିଦିନ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ କରାଯାଉଛି। ଏହି ମାଧ୍ୟମରେ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି। ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ।ସେ କହିଛନ୍ତି, “ମୁଖ୍ୟତଃ ଟିକାକରଣ ପାଇଁ ପଞ୍ଜୀକରଣ କରାଇଦେବାକୁ କହି ବିଭିନ୍ନ ସଂସ୍ଥା ଲୋକମାନଙ୍କୁ ଠକୁଛନ୍ତି। ତେଣୁ ଆପଣମାନେ କେବଳ ତିନୋଟି ଆପ୍ କୋୱିନ ପୋର୍ଟାଲ, ଆରୋଗ୍ୟ ସେତୁ ଓ ଉଭଙ୍ଗ ଆପ୍‌ରେ ପଞ୍ଜୀକରଣ କରନ୍ତୁ। ଏହାଛଡ଼ା କୌଣସି ଆପ୍ କିମ୍ବା ଲିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ।”

ସେ ଆଉ ମଧ୍ୟ କହିଛନ୍ତି, “କୋଭିଡ୍ ସମ୍ବନ୍ଧୀୟ ଔଷଧ ଓ ଅକ୍ସିଜେନ୍ ଯୋଗାଇ ଦେବା ନାଁରେ ଅନେକ ସାଇବର୍ ଠକ ମାତିଛନ୍ତି। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ବିଶ୍ୱାସ ଜତାଇ ବିଭିନ୍ନ ନମ୍ବର ଜରିଆରେ ପ୍ରଥମେ ଟଙ୍କା ମାଗୁଛନ୍ତି। ଯଦି ଏଭଳି କେଉଁ ବ୍ୟକ୍ତିର ଶିକାର ହେଉଛନ୍ତି, ତେବେ କିଛି କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ପଇସା ଦିଅନ୍ତୁ।ଟେଲି ମେଡିସିନ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଉଛି। କିଛି ଠକ ପ୍ରଥମେ ପଇସା ନେଇ, ପରେ ମେଡିସିନ ଯୋଗାଇ ଦେବେ ବୋଲି କହୁଛନ୍ତି। କିନ୍ତୁ ଆପଣମାନେ ମନ ରଖନ୍ତୁ କେଉଁବି ସରକାରୀ ସଂସ୍ଥା କିମ୍ବା ଏନଜିଓ ସଂସ୍ଥା ପଇସା ନେଇ ଟେଲି ମେଡିସିନ ସେବା ଯୋଗାଉନାହାଁନ୍ତି। ସେମାନେ ବିନା ମୂଲ୍ୟରେ ଆପଣଙ୍କୁ ଏହି ସେବା ଯୋଗାଉଛନ୍ତି। ତେଣୁ ଯଦି ଏହାର ଶିକାର ହେଉଛନ୍ତି, ତେବେ ସେହି ୱେସାଇଟ୍ ସମ୍ପର୍କରେ ଯାଞ୍ଚ କରିବା ସହିତ, ନିକଟତର ଲୋକଙ୍କର ପରାମର୍ଶ ନିଅନ୍ତୁ।”

ରାଜ୍ୟରେ କୋଭିଡ୍ ସମୟରେ ହେଉଥିବା ସାଇବର କ୍ରାଇମକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିସହ ରାଜ୍ୟରେ କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକ୍‌ଡାଉନ୍ ସହ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି। ବଜାର ଓ ଅନ୍ୟାନ୍ୟ ସ୍ଥାନରେ ନିୟମ ଉଲଙ୍ଘନକାରୀଙ୍କୁ ସାବାଡ୍ କରୁଛି ପୋଲିସ। ସମସ୍ତେ କୋଭିଡ୍ ଗାଇଡଲାଇନ୍‌କୁ ମାନନ୍ତୁ ଓ ମୁହଁରେ ସଠିକ୍ ଭାବରେ ମାସ୍କ ପରିଧାନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ।

Comment