ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁଟେରାମାନେ ଭିନ୍ନ ଭିନ୍ନ ଉପାୟରେ ଲୁଟ୍ କରିଥାନ୍ତି। କେତେବେଳେ ଓଟିପି ଜରିଆରେ ତ’ ପୁଣି କେତେବେଳେ ଫୋନ କରି ବିଭିନ୍ନ ଉପହାର ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି। ସେହିଭଳି ଏବେ ଲୁଟେରାମାନେ ଆଉ ଏକ ନୂଆ ତରିକା ଆପଣେଇଛନ୍ତି। ଯାହାର ନାମ ହେଲା ‘ସିମ୍ କାର୍ଡ ସ୍ଵାପିଂ’। ଏହା ମାଧ୍ୟମରେ ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

ସିମ୍‌ କାର୍ଡ ସ୍ୱାପିଂ କ’ଣ?

ପ୍ରଥମେ ଗ୍ରାହକଙ୍କ ନିକଟକୁ ଏକ ଫୋନ କଲ୍ ଆସିବ। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ମୋବାଇଲ୍‌ ନେଟଓ୍ଵର୍କ କମ୍ପାନିର କଷ୍ଟମର କେୟାର କର୍ମଚାରୀ କହି ନିଜର ପରିଚୟ ଦେବେ। ଗ୍ରାହକଙ୍କ ସହ କିଛି ସମୟ କଥାବାର୍ତ୍ତା ହେବାପରେ ଆପଣଙ୍କ ଅବଧି ଶେଷ ହୋଇଯାଇଛି ତେଣୁ ସିମ୍ କାର୍ଡ ବନ୍ଦ ହୋଇଯିବ। ଏଥିରୁ ରକ୍ଷା ପାଇବା ପାଇଁ ଆଧାର କାର୍ଡ ନମ୍ବର ଦିଅନ୍ତୁ। ଥରେ ଆଧାରକାର୍ଡ ନମ୍ବର ଦେବା ପରେ ଅପରାଧୀ ଏକ ଓଟିପି ନମ୍ବର ପଠାଇବ। ଏହି ଓଟିପି ନମ୍ବର କ୍ଲିକ କରିବା ମାତ୍ରେ ଆପେ ଆପେ ଆପଣଙ୍କ ସିମ୍‌ ସ୍ୱାପିଂ ହୋଇଯିବ। ଏହାପରେ ବ୍ୟବହାର କରୁଥିବା ମୋବାଇଲ ନେଟଓ୍ଵର୍କ ସର୍ଭର ମାଧ୍ୟମରେ ସମସ୍ତ ତଥ୍ୟକୁ ସାଇବର ଅପରାଧୀ ହ୍ୟାକ୍‌ କରି ନେଇ ଆକାଉଣ୍ଟ ଖାଲି କରିଦେବେ। ସାଇବର ଠକେଇର ଏହା ହେଉଛି ଆଉ ଏକ ମାଧ୍ୟମ, ଯାହାକୁ ‘ସିମ୍ କାର୍ଡ ସ୍ଵାପିଂ’ କୁହାଯାଏ।

କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ବି ଅନେକ ବ୍ୟକ୍ତି ସିମ୍ ସ୍ଵାପିଂ ଠକେଇର ଶିକାର ହୋଇଛନ୍ତି। ମୁଖ୍ୟ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟି ଅଞ୍ଚଳଗୁଡ଼ିକରେ ବହୁତ ଲୋକ ଏହି ଠକେଇର ଶିକାର ହେଉଥିବା ଦେଖିବାକୁ ମିଳିଛି।ଓଡ଼ିଶାରୁ ‘ସିମ୍ କାର୍ଡ ସ୍ଵାପିଂ’ ଠକେଇ ରାକେଟ୍ ଠାବ

ସିମ୍‌ କାର୍ଡ ସ୍ୱାପିଂ ଠକେଇ ରାକେଟ୍ ଠାବ କରିଛି କମିସନରେଟ ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଏଥିସହ ସେମାନଙ୍କଠାରୁ ବିପୁଳ ପରିମାଣର ସିମ୍‌ କାର୍ଡ, ଆଧାର କାର୍ଡ, ମୋବାଇଲ ମଧ୍ୟ ଜବତ କରିଛି। ସୂଚନା ଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଏହି ଠକେଇ ରାକେଟରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ ଉଠେଇ ଆଣିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ।

ପୋଲିସର ତଥ୍ୟ ଅନୁସାରେ, ଏହି ଠକମାନେ ପ୍ରଥମେ ଗ୍ରାହକଙ୍କ ସ୍ପେଶାଲ ମୋବାଇଲ ନମ୍ବରକୁ ଟାର୍ଗେଟ କରୁଥିଲେ। ପରେ ସେହି ନମ୍ବରରେ କଲ୍ କରି, ଆପଣଙ୍କ ନମ୍ବର ବନ୍ଦ ହୋଇଯିବ ବୋଲି ଗ୍ରାହକଙ୍କୁ କହୁଥିଲେ। ଏହାପରେ ଗ୍ରାହକଙ୍କଠାରୁ ଓଟିପି ନମ୍ବର ଆଣି ଲୁଟୁଥିଲେ। ଏହି ଘଟଣାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ପୋଲିସ ଆଉ ୩ ଜଣ ଠକଙ୍କୁ ଧରିବାରେ ସଫଳ ହୋଇଛି।

Comment