ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ ମହାନ୍ତିଙ୍କଠାରୁ ସାଇବର ଅପରାଧୀମାନେ ୧୦ ଲକ୍ଷ ୫୨ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କାକୁ ଦ୍ଵିଗୁଣିତ କରି ଦିଆଯିବାର ଲୋଭ ଦେଖାଇ ସାଇବର ଠକମାନେ ଡାକ୍ତରଙ୍କୁ ଲୁଟି ନେଇଛନ୍ତି। ଏନେଇ ଡାକ୍ତର ମହାନ୍ତି କଟକ ସାଇବର ଅପରାଧ ଥାନାରେ ଏତଲା ଦେଇଛନ୍ତି।ଡାକ୍ତର ବାଦଲ ମହାନ୍ତି ଏବେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ସପ୍ତାହରେ ସେ ଏକ ଇମେଲ ପାଇଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଯଦି ସେ କ୍ରିପଟୋକରେଂସି ଜରିଆରେ ନିବେଶ କରୁଛନ୍ତି ସାତ ଦିନ ମଧ୍ୟରେ ତାଙ୍କ ଟଙ୍କା ଦୁଇ ଗୁଣ ହୋଇଯିବ। ଡାକ୍ତର ଜଣକ ଏହି ଅଫରରେ ଏତେ ପ୍ରଲୋଭିତ ହୋଇପଡିଥିଲେ ଯେ ସେ ଏକ ମୋଟା ଅଙ୍କ ନିବେଶ କରିବା ପାଇଁ ସ୍ଥିର କଲେ।

ଏକ ବ୍ୟାଙ୍କରୁ ତଥା ବିଭିନ୍ନ ସୂତ୍ରରୁ ଋଣ ଆଣି ସେ କ୍ରିପଟୋକରେଂସି ଟ୍ରେଡିଂରେ ୧୦.୫୨ ଲକ୍ଷ ଜମା କରିଥିଲେ। ସପ୍ତାହକ ମଧ୍ୟରେ ଟଙ୍କା ଦୁଇ ଗୁଣ ନହେବାରୁ ଡାକ୍ତର ମହାନ୍ତି ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ସେମାନେ ଆହୁରି ୫ ଲକ୍ଷ ଟଙ୍କା ଜମା କରିବା ପାଇଁ କହିଥିଲେ। ଏହାପରେ ଡାକ୍ତର ମହାନ୍ତି ଠକାମିର ଶିକାର ହୋଇଥିବା ଜାଣି ସାଇବର ପୋଲିସର ଦ୍ଵାରସ୍ଥ ହୋଇଥିଲେ।ପୋଲିସର କହିବା ଅନୁଯାୟୀ ସାଇବର ଠକମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଲୋକଙ୍କୁ ଠକିଥାନ୍ତି। ଏହି କାରବାରରେ ସେମାନଙ୍କ ଜ୍ଞାନ ଏତେ ପ୍ରବଳ ଯେ ସେମାନଙ୍କୁ ଧରିବା ଅତି କଷ୍ଟ। ତେଣୁ ଠକାମିର ଶିକାର ହୋଇଥିବା ଲୋକେ ଯଦି ସଙ୍ଗେ ସଙ୍ଗେ ଅଭିଯୋଗ କରୁଛନ୍ତି ହୁଏତ ଟଙ୍କା ଫେରିପାଇବାର ସମ୍ଭାବନା ରହିଥାଏ। କିନ୍ତୁ ବିଳମ୍ବରେ ଯଦି ଏତଲା ଦିଅନ୍ତି ଟଙ୍କା ମିଳିବାର ସମ୍ଭାବନା କମ।

ସାଧାରଣତଃ ଶିକ୍ଷିତ ଲୋକମାନେ ଏହି ସାଇବର ଠକଙ୍କ ଶିକାର ହେଉଛନ୍ତି, ଯାହା ଅତି ଦୁର୍ଭାଗ୍ୟର ବିଷୟ ଓ ଦିନକୁ ଦିନ ଏହିଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।

Comment