ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ଜିଲ୍ଲା ହେଡ୍‌କ୍ୱାର୍ଟରରେ ବିଜେଡି କର୍ମୀ ‘ହରତାଲ୍‌’ କରିଛନ୍ତି। ଏହି ‘ହର୍‌ତାଲ୍‌’ ଶାନ୍ତିପୂର୍ଣ୍ଣ ରହିବ ବୋଲି ବିଜେଡି ତରଫରୁ କୁହାଯାଇଥିଲେ ହେଁ ଭୁବନେଶ୍ୱରର ଚିତ୍ର କିଛି ଅଲଗା କହୁଛି। ‘ହର୍‌ତାଲ୍‌’ ବେଳେ ବିଜେଡି କର୍ମୀ ହିଂସାକାଣ୍ଡ କରିଥିବା ଦେଖିବାକୁ ମିଳିଛି। ହିଂସାକାଣ୍ଡକୁ ଏଡାଇବା ପାଇଁ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା। ହେଲେ ହିଂସାକାଣ୍ଡ ରୋକିବା ବଦଳରେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା।
୫ ଘଣ୍ଟିଆ ‘ହର୍‌ତାଲ୍‌’ରେ ବହୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଭୁବନେଶ୍ୱର ଡେଲ୍‌ଟା ଛକରେ ବିଜେଡି କର୍ମୀ ଜଣେ ଯୁବତୀଙ୍କୁ ଅଟକାଇବା ସହ ତାଙ୍କ ସ୍କୁଟିକୁ ଭଙ୍ଗାରୁଜା କରିଛନ୍ତି। ସେହିପରି ସିଆର୍‌ପି ଛକରେ ଆମ୍ବୁଲାନ୍ସ ଅଟକାଇଥିଲେ ବିଜେଡି କର୍ମୀ। ଶେଷରେ ରୋଗୀ ନେଇ ଆସିଥିବା ଆମ୍ବୁଲାନ୍ସକୁ ମେଡିକାଲକୁ ନ ଛାଡି ଫେରାଇ ଦେଇଥିବା ଜଣାପଡିଛି।
ଏପଟେ ରାଜଭବନ ଛକରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେପି କୃଷକ ମୋର୍ଚ୍ଚା ରାଜଭବନଠାରେ ଧାରଣାରେ ବସିଥିବା ବେଳେ ବିଜେଡି କର୍ମୀଙ୍କ ରାଲି ସେହିବାଟ ଦେଇ ଆସିଥିଲା। ଫଳରେ ଉଭୟ ଦଳର କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ଏହାସହ ଏଜି ଛକରେ ବିଜେପି ପତାକା ମରାଯାଇଥିବା ଏକ ଗାଡିକୁ ମଧ୍ୟ ବିଜେଡି କର୍ମୀ ଭଙ୍ଗାରୁଜା କରିଛନ୍ତି।
‘ହରତାଲ୍‌’ର ନେତୃତ୍ୱ ନେଉଥିବା ବିଜେଡି ନେତାମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ବିଜେଡି ନେତାଙ୍କ ଉପସ୍ଥିତିରେ ହିଂସାକାଣ୍ଡ ଘଟିଥିଲେ ମଧ୍ୟ ଏମାନେ ଏହାକୁ ନିୟନ୍ତ୍ରଣ କରିପାରି ନ ଥିଲେ। ସେହିପରି ପୋଲିସ ମଧ୍ୟ ବନ୍ଦ ବେଳେ ନୀରବଦ୍ରଷ୍ଟା ସାଜିଥିଲା।
ଏପଟେ ମାଲକାନଗିରି ଜିଲ୍ଲାରେ ମଧ୍ୟ ‘ହରତାଲ’ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ବିଜେଡି ନେତାମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡି ଚଳାଚଳ ବନ୍ଦ କରିଥିଲେ। ଦୋକାନ, ବଜାର ବନ୍ଦ ରହିବା ସହ ବିଭିନ୍ନ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା।
କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। କଟକ ଲିଙ୍କ ରୋଡ୍, ବାଦାମବାଡି, କଲେଜ ଛକ ଆଦି ସ୍ଥାନରେ ବିଜେଡି ନେତା ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ। ‘ହର୍‌ତାଲ’କୁ ଦୃଷ୍ଟିରେ ସରକାର ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା କରିଥିଲେ।
ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବନ୍ଦ ଡାକରା ଦେଇଥିଲା। ଯାହାର ନାଁ ରହିଛି ‘ହକ୍ ପାଇଁ ହରତାଲ୍‌’। ସୋମବାରଠୁ ଏହି ହରତାଲ୍ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ଜାରି ରହିବ ବୋଲି ବିଜେଡି ତରଫରୁ କୁହାଯାଇଛି।

Tags: Bhubaneswar News, BJD, BJD Strike, Breaking News, five-hour hartal, Fuel Price, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment