ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ଚିଟଫଣ୍ଡ ସଂସ୍ଥା ସିସୋର ସହ ଜମି କାରବାର। ଗିରଫ ହେଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ୩ ବର୍ଷ ବ୍ୟବଧାନ ପରେ ସିବିଆଇ ପୁଣିଥରେ ଚିଟଫଣ୍ଡ ତଦନ୍ତକୁ ଜୋରଦାର କରିଛି। ଗତ ୬ ମାସ ତଳେ ଶେଷ ଥର ପାଇଁ ଜେରା ହୋଇଥିବା ପ୍ରଭାତ ଗିରଫ ହେବା ପରେ ସିବିଆଇ ସ୍କାନରରେ ଥିବା ଅନ୍ୟ ରାଜନେତାଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।
ଜମି କାରବାର ମାମଲାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ୨୦୧୪ ନଭେମ୍ବର ୨୧ରେ ସିବିଆଇ ଜେରା କରିଥିଲା। ଯାଜପୁର ବେଣାପୁରର ୩୨ ଗୁଣ୍ଠ ଜମି ବାବଦରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ୨୦୧୬ ନଭେମ୍ବର ୨୬ରେ ପୁଣି ସିବିଆଇ ପ୍ରଭାତଙ୍କୁ ସିବିଆଇ ସମନ ଜାରି କରିବା ସହ ଜମି ବାବଦରେ ଅଧିକ ଖୋଳତାଡ କରିଥିଲା।
୨୦୧୭ ଜାନୁୟାରୀ ୧୨ରେ ପ୍ରଭାତ ବିଶ୍ୱାଳଙ୍କ କଟକ ମହାନଦୀବିହାର ଏବଂ ଭୁବନେଶ୍ୱର ବାସଭବନରେ ସିବିଆଇ ଚଢ଼ାଉ କରିଥିଲା।
ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମିକୁ ପୁଣି ବିକ୍ରି କରିଥିଲେ। ତେବେ ସିସୋର ଗ୍ରୁପକୁ  ଜମି ବକା ଯାଇ ନ ଥିବା ସିବିଆଇ ସନେ୍ଦହ କରିଥିଲା। ଏହାକୁ ନେଇ ସିବିଆଇ ବିଶ୍ୱାଳ ଦମ୍ପତ୍ତିଙ୍କୁ ଜେରା କରିଥିଲା।
ଏହାସହ ୨୦୧୭ ଜାନୁୟାରୀରେ ପ୍ରଭାତଙ୍କ ସହ ସଂପୃକ୍ତ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ପ୍ରଭାତଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସେମାନେ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେଇଥିବା କହିଥିଲେ। ସେହିଦିନରୁ ଉଭୟ ବିଶ୍ୱାଳ ଦମ୍ପତ୍ତି ସିବିଆଇ ସ୍କାନରରେ ରହିଥିଲେ।
ପ୍ରଭାତଙ୍କ ରାଜନୀତି ଇନିଂସ୍‍
ପ୍ରଭାତ ବିଶ୍ୱାଳ ବିଜେଡିର ଜଣେ ସାଧାରଣ ବିଧାୟକ ନୁହନ୍ତି। ଜଣେ ଆଗଧାଡିର ଏବଂ ପ୍ରଭାବଶାଳୀ ବିଧାୟକ ଭାବେ ପ୍ରଭାତ ଜଣାଶୁଣା। କଟକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସହ ରାଜ୍ୟସ୍ତରୀୟ କ୍ୟାର୍ଯ୍ୟକ୍ରମରେ ପ୍ରଭାତଙ୍କୁ ଆଗଧାଡିରେ ଦେଖିବାକୁ ମିଳୁଥିଲା। ହେଲେ ଏହି ପ୍ରଭାବଶାଳୀ ବିଧାୟକଙ୍କୁ ଏବେ ସିବିଆଇ ଗିରଫ କରିଛି।
୨୦୦୪ ମସିହାରୁ ପ୍ରଭାତ ରାଜନୀତିରେ ତାଙ୍କ ଇନିଂସ୍‍ ଆରମ୍ଭ କରିଥିଲେ। କଟକ-ସଦର ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ ପ୍ରଭାତ। ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ ମଧ୍ୟ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେବାର ସୁଯୋଗ ପାଇଥିଲେ।
୨୦୦୯ରେ କଟକ-ସଦର ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଯିବାରୁ ପ୍ରଭାତ ନବ ଗଠିତ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ପ୍ରଭାତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
୨୦୧୨ ମିଡ୍‍ ନାଇଟ ଅପରେଶନ ପରେ ପ୍ରଭାତ ବିଶ୍ୱାଳ ଅଧିକ ବିବାଦୀୟ ହୋଇପଡିଥିଲେ। ବିଜେଡିରୁ ବିଦା ହୋଇଥିବା ତକ୍ରାଳୀନ ମାର୍ଗଦର୍ଶକ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ। ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାତ ନିବାସନ ଦଣ୍ଡ ଭୋଗିଥିଲେ। ପରେ ୨୦୧୪ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲା।

Tags: Bhubaneswar News, BJD, Breaking News, CBI, Choudwar-Cuttack MLA, Latest News, MLA Pravat Tripathy, Odisha Breaking News, Odisha News, Odisha Stories, Odisha Top Stories, Ponzi scam, Pravat Biswal, Seashore Group, Top Stories

LEAVE A REPLY

Please enter your comment!
Please enter your name here