ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣମାଧ୍ୟମକୁ ପ୍ରଭାତ କହିଲେ: “ମୁଁ ରାଜନୈତିକ ଆକ୍ରୋଶର ଶିକାର ହୋ‌ଇଛି। ସିବିଆଇ ମୋତେ ଅଯଥାରେ ହ‌ଇରାଣ ହରକତ କରିବା ସହ ଏକ ରାଜନୈତିକ ଦଳର ହାତବାରିସି ହୋ‍ଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି।”

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋ‍ଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ କିଛି ସମୟ ତଳେ କୋର୍ଟରେ ହାଜର କରିଛି। ତାଙ୍କ ବିରୁଦ୍ଧରେ ଠକେଇ, ଷଡ଼ଯନ୍ତ୍ର ଓ ଜାଲିଆତି ଭଳି ବିଭିନ୍ନ ସଙ୍ଗୀନ ମାମଲା ନେଇ କଡ଼ା ଦଫା ଲଗାଇଛି ସିବିଆଇ।
ଭୁବନେଶ୍ୱରସ୍ଥିତ ଚିଫ୍‌ ଜୁଡିସିଆଲ୍‍ ମାଜିଷ୍ଟ୍ରେଟ୍‍ଙ୍କ କୋର୍ଟରେ ଥିବା ସିବିଆଇ ଅଦାଲତରେ କିଛି ସମୟ ତଳେ ପ୍ରଭାତଙ୍କୁ ହାଜର  କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ୧୨୦, ୧୨୦ ବି, ୪୨୦, ୪୬୭, ୪୬୮ ଏବଂ ମନି ଲଣ୍ଡରିଂ ଆକ୍‌ଟ ଅଧୀନରେ ବିଭିନ୍ନ କଡ଼ା ଦଫା ଲଗାଇଛି।
ଅନ୍ୟ ପକ୍ଷରେ ପ୍ରଭାତ ବିଶ୍ୱାଳଙ୍କ ପକ୍ଷରୁ ଜାମିନ୍‍ ପାଇଁ ଆବେଦନ କରାଯାଇଛି। ଶ୍ରୀଯୁକ୍ତ ବିଶ୍ୱାଳ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଜାମିନ୍‌ରେ ଛାଡ଼ିବା ପାଇଁ ତାଙ୍କ ଓକିଲ ଆବେଦନ କରିଛନ୍ତି।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିସୋର ମାଲିକ ପ୍ରଶାନ୍ତ ଦାଶଙ୍କଠାରୁ ପ୍ରଭାତ ବିଶ୍ୱାଳ ଯେଉଁ ୨୯ ଲକ୍ଷ ଟଙ୍କା ନେଇଥିଲେ, ସେ ବାବଦରେ ପ୍ରଭାତ ଉଚିତ୍‍ କାଗଜପତ୍ର ଦେଇପାରିନାହାନ୍ତି। ପ୍ରଭାତ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଜମି ବାବଦରେ ପ୍ରଶାନ୍ତ ଦାଶଙ୍କ ଠାରୁ ଅଗ୍ରିମ ନେବା କଥା କହୁଥିଲେ ମଧ୍ୟ ଏ ବାବଦରେ ସେ ଏଗ୍ରିମେଣ୍ଟର ରିଜିନାଲ୍‍ କପି ସିବିଆଇକୁ ଦେଇପାରିନାହାନ୍ତି। ସେହିପରି ପ୍ରଭାତ ଏହି ଏଗ୍ରିମେଣ୍ଟ କରିବା ନାଁରେ ଷ୍ଟାମ୍ପ ପେପରରେ ମଧ୍ୟ ଜାଲିଆତି କରିଥିବାର ସିବିଆଇ ସନ୍ଦେହ କରୁଛି|
ସିବିଆଇ ଆଜି ପ୍ରଭାତଙ୍କୁ କୋର୍ଟ ନେବା ବେଳେ ପ୍ରଭାତ ଗଣମାଧ୍ୟମକୁ କହିଥିଲେ ଯେ ସେ ଏକ ରାଜନୈତିକ ଆକ୍ରୋଶର ଶିକାର ହୋ‌ଇଛନ୍ତି। ସିବିଆଇ ତାଙ୍କୁ ଅଯଥାରେ ହ‌ଇରାଣ ହରକତ କରିବା ସହ ଏକ ରାଜନୈତିକ ଦଳର ହାତବାରିସି ହୋ‍ଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି।
Tags: Bhubaneswar News, BJD, Breaking News, CBI, Choudwar-Cuttack MLA, Latest News, MLA Pravat Tripathy, Odisha Breaking News, Odisha News, Odisha Stories, Odisha Top Stories, Ponzi scam, Pravat Biswal, Seashore Group, Top Stories

LEAVE A REPLY

Please enter your comment!
Please enter your name here