ଓଡ଼ିଶାଲାଇଭ୍‌ ବ୍ୟୁରୋ

୨ ବର୍ଷ ତଳର ସ୍ଥିତି ଆଉ ନାହିଁ। ପଞ୍ଚାୟତ ନିର୍ବାଚନ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଯେଉଁ ଦଳ ୨ ବର୍ଷ ତଳେ ସିବିଆଇ ଗିରଫ କରୁଥିବା ନେତାଙ୍କୁ କାଳ ବିଳମ୍ବ ନ କରି ନିଲମ୍ବନ କରୁଥିଲା ଏବେ ସେହି ଦଳ ସିବିଆଇ ବାନ୍ଧିଥିବା ନେତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି। ଏହାର ପ୍ରମାଣ ପ୍ରଭାତ ବିଶ୍ୱାଳଙ୍କ ଗିରଫ ଘଟଣାରୁ ସ୍ପଷ୍ଟ ଜଣାପଡୁଛି।
ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରିରେ ବିଜେପିକୁ କେତେ ପଲିଟିକାଲ ମାଇଲେଜ୍ ମିଳିବ ତାହା ତ ଭିନ୍ନ କଥା, ହେଲେ ଏହା ବିଜେଡି ପାଇଁ ଏବେ ସମ୍ମାନର ପ୍ରଶ୍ନ ହୋଇଛି। ଚୌଦ୍ୱାର-କଟକ ବିଧାୟକଙ୍କ ରାତିଅଧିଆ ଗିରଫ ଏବେ ଦଳ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ପ୍ରଭାତ ଗିରଫ ହୋଇ ୫ ଦିନିଆ ରିମାଣ୍ଡରେ ଯାଇଥିଲେ ମଧ୍ୟ ଦଳ ତାଙ୍କ ହାତ ଛାଡିନି। ଏହି ଘଟଣା ବିଜେଡି ପାଇଁ ‘ଡୁ ଅର୍‌ ଡାଏ’ (କର ବା ମର) ଭଳି ପରିସ୍ଥିତି ସୃଷ୍ଟି କରିଛି।
କେନ୍ଦ୍ର ସରକାରଙ୍କ କଳ, ବଳ, ଛଳ ବିରୋଧରେ ବିଜେଡି ଲଢ଼େଇ କରିବାକୁ ଆହ୍ୱାନ ଦେଇଛି।
ଦୁଇ ବର୍ଷ ତଳେ କ’ଣ କରିଥିଲା ବିଜେଡି
୨୦୧୪ ଅକ୍ଟୋବର ୩୧ରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏଟି ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇଥିଲେ। ଗିରଫର ମାତ୍ର ଅଧ ଘଣ୍ଟାଏ ଭିତରେ ବିଭିନ୍ନ ଗଣମାଧ୍ୟମ ଅଫିସକୁ ବିଜେଡି କାର୍ଯ୍ୟାଳୟରୁ ପ୍ରେସ୍ ବିବୃତ୍ତି ଆସିଥିଲା। ଏଥିରେ ପ୍ରଭାତ ତ୍ରିପାଠୀଙ୍କୁ ଦଳ ନିଲମ୍ବନ କରିଛି ବୋଲି ଉଲ୍ଲେଖ ରହିଥିଲା। ପ୍ରଭାତ କେବଳ ବିଜେଡିର ବିଧାୟକ ନ ଥିଲେ ସେ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ।
ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦଳ ତାଙ୍କ ପଛରେ ଛିଡା ହେବା ବଦଳରେ ନିର୍ମଳ ଭାବମୂର୍ତ୍ତିକୁ ଦେଖିଥିଲା। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀଙ୍କ ହାତ ଛାଡି ଦେଇଥିଲା ଦଳ।
ସମାନ ଘଟଣା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା। ପ୍ରଭାତ ତ୍ରିପାଠୀ ଏବଂ ହାଁସଦାଙ୍କ ପରେ ଏବେ ପ୍ରଭାତ ବିଶ୍ୱାଳଙ୍କ ପାଳି ପଡିଛି। ହେଲେ ଦଳ ଦୁଇ ବର୍ଷ ତଳର ଫର୍ମୁଲା ଏ କ୍ଷେତ୍ରରେ ବିଜେଡ଼ି ପ୍ରୟୋଗ କରିନି, ବରଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍‍ କରିଛି। ବିଜେପି ମଧ୍ୟ ଏହାର ଜବାବ ଦେଇଛି।
ପ୍ରଭାତଙ୍କ ଗିରଫଦାରୀ ବିଜେଡିକୁ ଚ୍ୟାଲେଞ୍ଜ
ଗତ ୬ ମାସ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ। ପଞ୍ଚାୟତ ଭୋଟରେ ବିଜେପି ଭୋଟହାର ବୃଦ୍ଧି ପାଇଛି ବୋଲି ଦଳୀୟ ନେତା ଦାବି କରୁଛନ୍ତି। ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ବିଜେପି ୨୦୧୯ ପାଇଁ ଅଙ୍କ କଷୁଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଘନଘନ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କ ମନୋବଳକୁ ଉତ୍ସାହିତ କରୁଛନ୍ତି।
ବିଜେପିର ଏହି ଉତ୍ସାହଭରା କାର୍ଯ୍ୟକ୍ରମ ବେଳେ ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ପଞ୍ଝାରେ ପଡିଛନ୍ତି। ଏଣୁ ବିଜେଡ଼ି ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛି। ଫଳରେ ପ୍ରଭାତ ବିଶ୍ୱାଳଙ୍କୁ ନିଲମ୍ବନ କରିବାକୁ ଉଚିତ୍ ମନେକରିନି ଦଳ। ଯଦି ତ୍ରିପାଠୀ ଏବଂ ହାଁସଦାଙ୍କ ଭଳି ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ଦଳ ସଙ୍ଗେସଙ୍ଗେ ନିଲମ୍ବନ ଆଦେଶ ଦେଇଥାନ୍ତା ତାହାଲେ ତୃଳମୂଳ ସ୍ତରକୁ ଗୋଟିଏ ନକରାତ୍ମକ ସନ୍ଦେଶ ଯାଇଥା’ନ୍ତା। ଏହା ବିଜେଡ଼ି ପାଇଁ କ୍ଷତି ହୋଇଥା’ନ୍ତା ବୋଲି ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଫଳରେ ବିଜେଡି ଏଥର ମାପିଚୁପି ପଦକ୍ଷେପ ନେଇଛି।
ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟ ପ୍ରତିନିଧି ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ। ହେଲେ ଏହି ସମ୍ମିଳନୀରେ ଉପସ୍ଥିତ ଥିବା ବିଜେଡି ନେତାଙ୍କ ଉତ୍ତର ଭିନ୍ନ ଥିଲା। ସିବିଆଇ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ କେଉଁଭଳି ଚାର୍ଜସିଟ୍ ଲାଗୁ କରିଛି ତାହା ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହେଲେ ରାଜନୀତି କରିଡରରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ପ୍ରଭାତ ବିଶ୍ୱାଳଙ୍କ ଗିରଫ ବିଜେଡି ପାଇଁ ଏକ ପ୍ରକାର ଚାଲେଞ୍ଜ ବୋଲି ଆଲୋଚନା ହେଉଛି।

Tags: Odisha News, Odisha Spot News, Odisha Hot News, Odisha Political News, Bjd Press Meet, Pravat Biswal, Pravat Tripathy, Ramchandra Hansda, CBI, Panchayat Election, Current News, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

LEAVE A REPLY

Please enter your comment!
Please enter your name here