ଓଡ଼ିଶାଲାଇଭ୍ ବ୍ୟୁରୋ

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ରିମାଣ୍ଡ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ସିବିଆଇ ଅଧିକାରୀ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପ୍ରଭାତଙ୍କୁ ମାରାଥନ୍ ଜେରା କରିଛନ୍ତି।
ସିସୋର ଗ୍ରୁପ୍ ସହ ଜମି କାରବାର ଏବଂ ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ସମ୍ପର୍କରେ ସିବିଆଇ ପଚରାଉଚରା କରିଛି।
ଜମି କାରବାର ମାମଲାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ୨୦୧୪ ନଭେମ୍ବର ୨୧ରେ ସିବିଆଇ ଜେରା କରିଥିଲା। ଯାଜପୁର ବେଣାପୁରର ୩୨ ଗୁଣ୍ଠ ଜମି ବାବଦରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ୨୦୧୬ ନଭେମ୍ବର ୨୬ରେ ପୁଣି ପ୍ରଭାତଙ୍କୁ ସିବିଆଇ ସମନ ଜାରି କରିବା ସହ ଜମି ବାବଦରେ ଅଧିକ ଖୋଳତାଡ କରିଥିଲା।
୨୦୧୭ ଜାନୁୟାରୀ ୧୨ରେ ପ୍ରଭାତ ବିଶ୍ୱାଳଙ୍କ କଟକ ମହାନଦୀବିହାର ଏବଂ ଭୁବନେଶ୍ୱର ବାସଭବନରେ ସିବିଆଇ ଚଢ଼ାଉ କରିଥିଲା।
ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମିକୁ ପୁଣି ବିକ୍ରି କରିଥିଲେ। ତେବେ ସିସୋର ଗ୍ରୁପକୁ  ଜମି ବିକା ଯାଇ ନ ଥିବା ସିବିଆଇ ସନ୍ଦେହ କରିଥିଲା। ଏହାକୁ ନେଇ ସିବିଆଇ ବିଶ୍ୱାଳ ଦମ୍ପତ୍ତିଙ୍କୁ ଜେରା କରିଥିଲା।
ଏହାସହ ୨୦୧୭ ଜାନୁୟାରୀରେ ପ୍ରଭାତଙ୍କ ସହ ସଂପୃକ୍ତ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ପ୍ରଭାତଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସେମାନେ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେଇଥିବା କହିଥିଲେ। ସେହିଦିନରୁ ଉଭୟ ବିଶ୍ୱାଳ ଦମ୍ପତ୍ତି ସିବିଆଇ ସ୍କାନରରେ ରହିଥିଲେ।
ପ୍ରଭାତଙ୍କୁ ସିବିଆଇ ଅଫିସର ଜେରା କରୁଥିବା ବେଳେ ବାହାରେ ସମର୍ଥକଙ୍କ ତାତି ଦେଖିବାକୁ ମିଳିଛି।
କଟକରୁ ଶତାଧିକ ଛାତ୍ର, ଯୁବକ ବାଇକ୍ ରାଲିରେ ସିବିଆଇ ଅଫିସ ନିକଟକୁ ଆସି ପ୍ରତିବାଦ କରିଛନ୍ତି। ଏହି ଗିରଫଦାରୀକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
କଟକ ବିଜେଡି ଓ ଜଗତପୁର ନାଗରିକ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

LEAVE A REPLY

Please enter your comment!
Please enter your name here