ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ପକ୍ଷରୁ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ନେଇ ଦଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଶେଷକରି ଦଳର କଟକ ଜିଲ୍ଲା ସଂଗଠନ ଏହାର ବିରୋଧକରି ଆନ୍ଦୋଳନକୁ ଜୋରଦାର କରିଛି। ବିକ୍ଷୋଭକାରୀମାନେ ଆଜି ଭୁବନେଶ୍ୱର ସିବିଆଇ ଅଫିସ ସାମ୍ନାରେ ପ୍ରତିବାଦ କରିବା ଫଳରେ ପରିସ୍ଥିତି ଅଣାୟତ୍ତ ହୋ‍ଇଥିଲା। ସେଠାରେ ପୋଲିସ ୧୪୪ ଧାରା ଜାରି କରିଛି।
ଆଜି ପୂର୍ବାହ୍‌ଣରେ ତିନିରୁ ଚାରି ହଜାର ବିଜେଡି କର୍ମୀ ଓ ସମର୍ଥକ ଆସି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ସିବିଆଇ ଅଫିସ ସମ୍ମୁଖରେ ଘଟଣାର ପ୍ରତିବାଦ କରିଥିଲେ। ସେମାନେ ମୋଦି ସରକାରର ନିନ୍ଦା କରିବା ସହ ବିଜେପି ସିବିଆଇକୁ ହାତବାରିସି କରି ଏଭଳି ରାଜନୈତିକ ଆକ୍ରୋଶମୂଳକ କାମ କରୁଥିବାର ସ୍ଲୋଗାନ ଦେଇଥିଲେ। ଶତାଧିକ ଯୁବକ ଏକ ବାଇକ୍‍ ରାଲି କରି କଟକ ଜିଲ୍ଲାର ବିଭିନ୍ନ ଜିଲ୍ଲାରୁ ଆସି ଏଥିରେ ଯୋଗ ଦେଇଛନ୍ତି।
ସିବିଆଇ ଅଫିସ ନିକଟରେ ପୋଲିସ ୧୪୪ ଧାରା ଜାରି କରିଛି। ସେଠାରୁ କିଛି ଦୂରରେ ବିକ୍ଷୋଭକାରୀମାନେ ଏକ ପ୍ରତିବାଦ ସଭା ଆୟୋଜନ କରିଛନ୍ତି। ଏଥିରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ବାରିକ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ, କଟକ ମହାନଗର ନିଗମର ଅନେକ ବିଜେଡି କର୍ପୋରେଟର, କଟକ ଜିଲ୍ଲା ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଏବଂ ଅନେକ ବିଜେଡିକର୍ମୀ ସାମିଲ ହୋ‍ଇଛନ୍ତି।
ସିବିଆଇ ସିସୋର ଚିଟ୍‌‍ଫଣ୍ଡ ଠକେଇ ଘଟଣାରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସୋମବାର ଦିନ ସନ୍ଧ୍ୟାରେ ପଚରାଉଚୁରା ପାଇଁ ଡାକି ଗିରଫ କରିଥିଲା। ମଙ୍ଗଳବାର ଅପରାହ୍‍ଣରେ ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପ୍ରଭାତଙ୍କ ଜାମିନ୍‍ ଆବେଦନ କାଟ୍‍ ଖାଇଯାଇଥିବା ବେଳେ ସିବିଆଇର ଆବେଦନକୁ ବିଚାରକରି କୋର୍ଟ ପ୍ରଭାତଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇବାଲାଗି ନିର୍ଦ୍ଦେଶ ଦେଇଥିଲେ।

Comment