ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବାଟବଣା ହୋଇଯାଇଛି। ଏହାର ପ୍ରମାଣ ମିଳିଛି ମଙ୍ଗଳବାର ରାତିରେ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ତଦନ୍ତ ପାଇଁ ଯିବା ବଦଳରେ ଏହି ତତନ୍ତକାରୀ ଟିମ୍ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରେ ପ୍ରବେଶ କରିଛି।
ଏହାକୁ ବୁଧବାର ହାଇକୋର୍ଟ ବାର୍‌ ଆସୋସିଏସନ୍ ନିନ୍ଦା କରିଛି।
ସିବିଆଇର ଏହି ବେପରୁଆ ତଦନ୍ତକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ବୁଧବାର ମଧ୍ୟାହ୍ନରେ ଜରୁରୀ ବୈଠକ ବସିଛି। ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏ ସମ୍ପର୍କରେ ବାର୍ ଅବଗତ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ପ୍ରତିବାଦରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ କରିଛନ୍ତି।
ଗୁରୁବାର ଅପରାହ୍‌ଣ ପର୍ଯ୍ୟନ୍ତ ବାର୍ କାର୍ଯ୍ୟବନ୍ଦ ଡାକରା ଦେଇଛି। ଗୁରୁବାର ପୁଣିଥରେ ବାର୍ ଆସୋସିଏସନ୍‌ର ବୈଠକ ବସିବ। ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ।
ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଦସ୍ୟଙ୍କ କାର୍ଯ୍ୟବନ୍ଦ ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ପୋଲିସ କମିଶନର ୱାଇ ବି ଖୁରାନିଆ ହାଇକୋର୍ଟ ପରିସରକୁ ଆସିଥିଲେ। ତେବେ ଏହି ପୋଲିସ ଅଧିକାରୀଙ୍କ ଅଚାନକ ଗସ୍ତ ସମ୍ପର୍କରେ କିଛି ଜଣାପଡିନାହିଁ।
ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଗିରଫ କରିବା ପରେ ମଙ୍ଗଳବାର ରାତିରେ ସିବିଆଇ କଟକର ୩ଟି ଜାଗାରେ ଚଢ଼ାଉ କରିଥିଲା। ଏହି ପରିପ୍ରେକ୍ଷୀରେ ସିବିଆଇ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଘରେ ଚଢ଼ାଉ କରିବା ପାଇଁ ତାଲିକା କରିଥିଲେ। ହେଲେ ସିବିଆଇ ଅଧିକାରୀ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରେ ପ୍ରବେଶ କରିଥିଲେ। ପରେ ଏ ସମ୍ପର୍କରେ ସଚେତନ ହେବା ପରେ ତଦନ୍ତରେ ଯାଇଥିବା ଅଧିକାରୀ ବିଚାରପତିଙ୍କ କ୍ୟାମ୍ପସ ଛାଡ଼ି ପଳାଇ ଆସିଥିଲେ।

Comment