ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଘର ଭାବି ବର୍ତ୍ତମାନର ଜଣେ ବିଚାରପତିଙ୍କ ସରକାରୀ ବାସଭବନରେ କିଭଳି ପହଞ୍ଚିଲା ସିବିଆଇ?

କଟକରେ ସିବିଆଇ ବାଟବଣା ହୋ‌ଇଯାଇଛି। ଏହି ଘଟଣାକୁ ନେଇ ଏବେ ହାଇକୋର୍ଟ ବାର୍‍ ଆସୋସିଏସନ୍‍ ଉଠାଉଛି ପକାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ସିବିଆଇର ଏକ ଟିମ୍‍ କଟକ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଗେଟ୍‌ ଖଟଖଟ କରିଥିଲା। ତେବେ କିଛି ସମୟ ପରେ ସିବିଆଇ ଅଫିସର ବୁଝିପାରିଥିଲେ ଯେ ସେମାନେ ଯାହାକୁ ଖୋଜି ରାତି ୧.୩୦ ବେଳେ ସେଠାରେ ପହଞ୍ଚିଛନ୍ତି, ସେହି କ୍ୱାର୍ଟରରେ ଓଡ଼ିଶା ହାଇକୋର୍ଟର ଆଉ ଜଣେ ବିଚାରପତି ରହନ୍ତି।
ଏହି ଘଟଣାକୁ ନେଇ ସିବିଆଇକୁ ଲୋକହସା ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ସିବିଆଇ ଅଧିକାରୀ ଏବଂ ତାଙ୍କର ଟିମ୍‍ ବିରୋଧରେ ଥାନାରେ ଏତଲା ଦିଆଯାଇଛି। କେବଳ ସେତିକି ନୁହେଁ, ହାଇକୋର୍ଟ ବାର ଆସୋସିଏସନର ତାତି ମଧ୍ୟ ସିବିଆଇ ଦେହରେ ବାଜୁଛି।
କାହାକୁ ଖୋଜୁଥିଲା ସିବିଆଇ?
ଯଦି ସିବିଆଇର ଟିମ୍‍ ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାସଙ୍କ ଘରକୁ ଆସିନଥିଲା, ତେବେ ସିବିଆଇ କାହାକୁ ଖୋଜିବାକୁ ଆସି ରାତିଅଧିଆ ସେହି କ୍ୱାର୍ଟରର ଗେଟ୍‍ ବାଡ଼େଇଥିଲା?
ଏ ବାବଦରେ ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ବଳପୂର୍ବକ ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶଙ୍କ କ୍ୱାର୍ଟରରେ କେହି ପ୍ରବେଶ କରିନାହାନ୍ତି କିମ୍ବା କୌଣସି ପ୍ରକାରର ତଲାସି ନିଆଯାଇନାହିଁ। ଅସଲରେ ଆଉ ଏକ ମାମଲାରେ ସିବିଆଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍‍ କୁଦ୍ଦୁସିଙ୍କ ସମ୍ପର୍କରେ ତଦନ୍ତ କରିବାକୁ ଯାଇ ସେଠାରେ ପହଞ୍ଚିଥିଲା। ଏକଦା ସେ କ୍ୱାର୍ଟର୍ସରେ ଜଷ୍ଟିସ୍‍ କୁଦ୍ଦୁସି ରହୁଥିଲେ।
ତେବେ ସିବିଆଇର ଏହି ସଫେଇ ଯଥେଷ୍ଟ ନୁହେଁ। କାରଣ ଜଣେ ପୂର୍ବତନ ବିଚାରପତିଙ୍କ ସମ୍ପର୍କରେ ଛାନଭିନ କରିବାକୁ ଯାଇ ସିବିଆଇ କିଭଳି ଜଣେ ହାଇକୋର୍ଟରେ ବର୍ତ୍ତମାନ କାର୍ଯ୍ୟରତ ବିଚାରପତିଙ୍କ ଘରେ ପହଞ୍ଚିବ ତାହା ସ୍ପଷ୍ଟ ବୁଝାପଡ଼ୁନାହିଁ।
କୁଦ୍ଦୁସିଙ୍କ ନାଁରେ ସିବିଆଇରେ ମାମଲା
ଓଡ଼ିଶା ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଆଇଏମ କୁଦ୍ଦୁସିଙ୍କ ନାଁରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏଥିରେ ଆଉ ୪ ଜଣଙ୍କ ମଧ୍ୟ ନାଁ ରହିଛି। ମେଡିକାଲ କାଉନ୍‌ସିଲ ଅଫ୍‍ ଇଣ୍ଡିଆ ପକ୍ଷରୁ ନାମ ଲେଖାଇବା ପାଇଁ ଅନୁମତି ପାଇନଥିବା ଲକ୍ଷ୍ନୌସ୍ଥିତ ଏକ ମେଡିକାଲ ସପକ୍ଷରେ ସୁପ୍ରିମକୋର୍ଟରେ ରାୟ ଆଣିବା ପାଇଁ ହୋ‍ଇଥିବା ଷଡ଼ଯନ୍ତ୍ରରେ ଜଷ୍ଟିସ୍‍ କୁଦ୍ଦୁସି ଏବଂ ଅନ୍ୟମାନଙ୍କ ନାଁ ଉଠିଛି। ସେମାନେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ତାଙ୍କ ସପକ୍ଷରେ ସୁପ୍ରିମକୋର୍ଟର ରାୟକୁ ପ୍ରଭାବିତ କରିବାକୁ ଆଶ୍ୱାସନା ଦେଇଥିଲେ।
ଏହି ମାମଲାରେ ସିବିଆଇର ଟିମ୍‍ ଦିଲ୍ଲୀ, ଲକ୍ଷ୍ନୌ ଏବଂ ଅବସରପ୍ରାପ୍ତ ବିଚାରପତି କୁଦ୍ଦୁସିଙ୍କ ନୂଆଦିଲ୍ଲୀର ଗ୍ରେଟର କୈଳାସ ଅଞ୍ଚଳସ୍ଥିତ ଘର ଉପରେ ମଧ୍ୟ ଚଢାଉ କରିଛି। ତା’ ସହିତ ମଧ୍ୟ ଏକାଧିକ ବ୍ୟକ୍ତି ଓ ଜଣେ ହାୱାଲା ଦଲାଲଙ୍କ ଘରେ ମଧ୍ୟ ଚଢାଉ କରିଛି ସିବିଆଇ।
ଲକ୍ଷ୍ନୌସ୍ଥିତ ଏହି ମେଡିକାଲ କଲେଜର ନାମଲେଖାକୁ ବୈଧ କରିବା ପାଇଁ ସରକାରୀ ଅଧିକାରୀମାନେ ୧ କୋଟି ଲାଞ୍ଚ ନେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଜଷ୍ଟିସ କୁଦ୍ଦୁସି ଏବଂ ଅନ୍ୟମାନେ ସରକାରୀ ପଦବୀ ଓ କ୍ଷମତାର ପ୍ରୟୋଗକରି ଏହି ବେଆଇନ କାର୍ଯ୍ୟକୁ ସମର୍ଥନ କରିଥିବା ସିବିଆଇ ଏତାଲାରେ ଦର୍ଶାଯାଇଛି।

 

LEAVE A REPLY

Please enter your comment!
Please enter your name here