ଓଡ଼ିଶାଲାଇଭ୍ ବ୍ୟୁରୋ

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଭୁବନେଶ୍ୱର ସିବିଆଇ କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ପ୍ରଭାତଙ୍କୁ ଝଟକା ଲାଗିଛି। ପ୍ରଭାତ ଓକିଲ ସେସନ୍‌ସ କୋର୍ଟରେ ପୁଣି ଜାମିନ୍ ଆବେଦନ କରିପାରନ୍ତି ବୋଲି କୁହାଯାଉଛି।
ଶୁକ୍ରବାରଠାରୁ ବିଧାୟକ ପ୍ରଭାତ ବିଶ୍ୱାଳ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରଭାତଙ୍କ ଓକିଲ ଶନିବାର ସବ୍‌ ଜଜ୍‌ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହେଲେ ଜଜ୍‌ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପ୍ରଭାତ ଜଣେ ପ୍ରଭାବଶାଳୀ ବିଧାୟକ ହୋଇଥିବାରୁ କାଳେ ତଦନ୍ତ ପ୍ରଭାବିତ ହେବ ସେହି ଆଶଙ୍କାରେ ଜାମିନ୍ ଦିଆଯାଇ ନ ଥିବା କୁହାଯାଉଛି।
ସିସୋର ଚିଟଫଣ୍ଡ ସଂସ୍ଥା ସହ ପ୍ରଭାତଙ୍କର କୌଣସି ଲିଙ୍କ୍ ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଯାହା ହୋଇଛି ତାଙ୍କ ପତ୍ନୀଙ୍କ ସହ ହୋଇଛି। ଏଣୁ ପ୍ରଭାତଙ୍କୁ ଜାମିନ୍ ଦିଆଯାଉ ବୋଲି ପ୍ରଭାତଙ୍କ ଓକିଲ ଯୁକ୍ତି କରିଥିଲେ। ହେଲେ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ଏବଂ ତଦନ୍ତର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଜଜ୍‌ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି।
ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ଅଭିଯୋଗରେ ପ୍ରଭାତଙ୍କୁ ମଙ୍ଗଳବାର ସିବିଆଇ ଗିରଫ କରିଥିଲା। ସିବିଆଇ କୋର୍ଟରେ ହାଜର କରିବା ପରେ ତାଙ୍କୁ ଅଧିକ ପଚରା ଉଚରା କରିବା ଲାଗି ୫ ଦିନିଆ ରିମାଣ୍ଡରେ ଆଣିଥିଲା। ହେଲେ ରିମାଣ୍ଡର ଚତୁର୍ଥ ଦିନରେ ପ୍ରଭାତ ଅସୁସ୍ଥ ହୋଇଯାଇଥିଲେ। ଫଳରେ ସିବିଆଇ ପକ୍ଷରୁ ପ୍ରଭାତଙ୍କୁ କୋର୍ଟରେ ହଜାର କରାଯାଇ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ମାତ୍ର ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment