ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସୋମବାର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାତଙ୍କ ଅଣ୍ଟା ଏବଂ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କଟକ ପଠାଇଛନ୍ତି। ୪ ଜଣିଆ ଡାକ୍ତରୀ ଟିମଙ୍କ ପରାମର୍ଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ଏସ୍‌ସିବି ମେଡ଼ିକାଲରେ ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏଠାରେ ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି। ଫଳରେ ପ୍ରଭାତଙ୍କୁ ଆଇସିୟୁରେ ରଖା ଯାଇଛି।

ଏସ୍‌ସିବି ସୁପରିଟେଣ୍ଡେଣ୍ଟ ଶ୍ୟାମା କାନୁନଗୋ କହିଛନ୍ତି, “ପ୍ରଭାତ ବିଶ୍ୱାଳ ଭଲଭାବେ ଦେଖିପାରୁ ନାହାନ୍ତି। ତାଙ୍କ ମେରୁଦଣ୍ଡରେ ସମସ୍ୟା ରହିବା ସହ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।”

ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ପ୍ରଭାତ ଗିରଫ ହୋଇଥିଲେ। ତେବେ ଜେରାର ଚତୁର୍ଥ ଦିନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ତାଙ୍କୁ ସେପ୍ଟେମ୍ବର ୨୨ରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରିବା ଲାଗି କ୍ୟାପିଟାଲ ହସ୍ପିଟାଲରେ ୪ ଜଣିଆ ଡାକ୍ତରୀ ଟିମ୍‍ ଗଠନ କରାଯାଇଥିଲା। ହୃଦ୍‍ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ ଜଣ ଡାକ୍ତର ପ୍ରଭାତଙ୍କ କରୁଥିଲେ।
ବାରମ୍ବାର ପରୀକ୍ଷା ନିରୀକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ସ୍ୱସ୍ଥ୍ୟାବସ୍ଥାରେ ଉନ୍ନତି ହେଉନି। ତାଙ୍କ ଆଣ୍ଠୁ ଏବଂ ଅଣ୍ଟାରେ ପ୍ରବଳି ଯନ୍ତ୍ରଣା ହେଉଛି। ଏଣୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ସି.ଆର୍‍ ଦାସ କହିଛନ୍ତି।
ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‍ଙ୍କ କୋର୍ଟରେ ଜାମିନ୍‍ ଆବେଦନ କରିଛନ୍ତି ଓକିଲ ଅନୁପ ପଟ୍ଟନାୟକ। ମଙ୍ଗଳବାର ଜାମିନ୍ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି।
୧୯ ତାରିଖ ରାତିରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। କୋର୍ଟରେ ହାଜର କରାଯାଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ। ଚତୁର୍ଥ ଦିନରେ ଜେରା ଚାଲିଥିବା ବେଳେ ସେ ଅସୁସ୍ଥ ହୋଇ ଯାଇଥିଲେ। ଫଳରେ ପ୍ରଭାତଙ୍କୁ ସିବିଆଇ କୋର୍ଟରେ ହଜର କରାଇ ଝାରପଡ଼ା ଜେଲକୁ ପଠାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା।

Comment