ଓଡିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଓଡ଼ିଶାର ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁରୁବାର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକରେ ବି ବର୍ଷା ହୋଇଛି। ତେବେ ମହାମୟୀଙ୍କ ମହାଷ୍ଟମୀ ଯାତ୍ରା ବିଶେଷ ପ୍ରଭାବିତ ହୋଇ ନଥିଲେ ମଧ୍ୟ ମହାନବମୀ ଓ ଦଶମୀକୁ ନେଇ ଲୋକେ ଏବଂ ପୂଜାକମିଟିର କର୍ମକର୍ତ୍ତା ଚିନ୍ତାରେ ପଡ଼ିଛନ୍ତି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବଜ୍ରପାତ ସହ ବିଜୁଳି ମାରିବାର ଆଶଙ୍କା ରହିଛି। କୋହଲା ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପାଣିପାଗ ରିପୋର୍ଟ ଆସିବା ପରେ ଦଶହରା ବୁଲିବାକୁ ମନ କରିଥିବା ଲୋକେ ଆଶଙ୍କାରେ ରହିଛନ୍ତି। ବର୍ଷା ସତରେ କ’ଣ ଦଶହରା ମଜାକୁ ଧୋଇନେବ କି ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,”ଘୂର୍ଣ୍ଣବଳୟ ପ୍ରଭାବରେ ଅକ୍ଟୋବର ୨ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରେ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ଦୁଇ ଦିନ ମଧ୍ୟରେ ବର୍ଷା କମି ଯାଇପାରେ। କିନ୍ତୁ ୩୦ ତାରିଖରୁ ବର୍ଷା ଜୋର୍ ହେବ।”
ଦଶହରା ପାଇଁ ସିଲଭରସିଟିରୁ ସ୍ମାର୍ଟ ସିଟି ଝଲସୁଛି। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଆଲୋକ ସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବିଭିନ୍ନ ପୂଜାମଣ୍ଡପ ନିକଟରେ ମୀନାବଜାର ଓ ଉଠା ଦୋକାନୀ ପସରା ଖୋଲି ବ୍ୟବସାୟ କରୁଛନ୍ତି। ମୋଲୋଡି ଓ ରେକର୍ଡ ଡ୍ୟାନ୍ସର ତାଳେତାଳେ ଲୋକେ ଖୁସି ମନାଉଛନ୍ତି।
ଲୋକଙ୍କ ଏହି ଖୁସିକୁ ପାଣିପାଗ ବିଭାଗର ସତର୍କ ସୂଚନା ଫିକା କରିଦେଇଛି। ବର୍ଷା, ବଜ୍ରପାତର ସମ୍ଭାବନା ଥିବାରୁ ଦଶହରା ମଜା ଧୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ପୂଜାକମିଟିର କର୍ମକର୍ତ୍ତାଙ୍କଠାରୁ ଉଠା ଦୋକାନୀ, ସମସ୍ତେ ଚିନ୍ତାରେ ପଡ଼ିଛନ୍ତି।
 

LEAVE A REPLY

Please enter your comment!
Please enter your name here