ଓଡିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପଠାରେ ଗୁରୁବାର ରାତିରେ ଘଟିଛି ଅଘଟଣ। ରାମଦୋଳି ବୁଲୁଥିବା ବେଳେ ଅଧାରେ ଅକାମୀ ହୋଇଯାଇଛି। ଫଳରେ ଏହି ଦୋଳିରେ ବସିଥିବା ବହୁ ଛୋଟ ପିଲା ଏବଂ ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ବରମୁଣ୍ଡା ପୂଜାମଣ୍ଡପଠାରେ ଧୁମଧାମରେ ପାଳନ କରାଯାଉଛି ମା’ ଦୁର୍ଗାଙ୍କ ପୂଜା। ମହାସପ୍ତମୀଠାରୁ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ପୂଜାମଣ୍ଡପ ନିକଟରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଦୋଳି ପଡ଼ିଛି। ଆଜି ମହାଷ୍ଟମୀ ପାଇଁ ବରମୁଣ୍ଡା ପୂଜାମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମା’ଙ୍କୁ ଦର୍ଶନ ଓ ତୋରଣ ଦେଖିବା ପାଇଁ ଆସିଥିବା ଲୋକେ ଦୋଳିରେ ବସି ମଜା ନେଉଥିଲେ। ତେବେ ରାତି ପ୍ରାୟ ୧୦ଟା୪୦ରେ ରାମଦୋଳିର ବେରିଂ ଭାଙ୍ଗିଯିବାରୁ ତାହା ଅଚଳ ହୋଇଯାଇଛି।
ଦୋଳିରେ ବସିଥିବା ଛୋଟ ପିଲା ଏବଂ ଲୋକେ ତଳକୁ ଆସିପାରି ନଥିଲେ। ଖବରପାଇ ଫାୟାର ଷ୍ଟେସନରୁ ଅଗ୍ନିଶମ ବିଭାଗ କର୍ମଚାରୀ ବରମୁଣ୍ଡା ପୂଜା ମଣ୍ଡପ ନିକଟରେ ପହଞ୍ଚି ଦୋଳିରୁ ପିଲା ଓ ଲୋକଙ୍କୁ ତଳକୁ ଆଣିଛନ୍ତି।
 

LEAVE A REPLY

Please enter your comment!
Please enter your name here