ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବୀନ ନିବାସରେ ବିଜେଡି ନେତାଙ୍କ ମନ୍ଥନ
  • ବିଜେପୁରର ପ୍ରତି ୱାର୍ଡରେ ହେବ ପଦଯାତ୍ରା
  • ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ
ବିଜେପୁର ଦଖଲ ପାଇଁ ବିଜେପି ବରପାଲିଠାରେ ରଣହୁଙ୍କାର ଦେଇଛି। ବିଜେଡି ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ବିଜେପିରେ ସାମିଲ କରି ଦଳ ବିଜେପୁର ପାଇଁ ବିଗୁଲ୍‌ ଫୁଙ୍କିଛି। ବିଜେପିର ଏହି ରଣହୁଙ୍କାରକୁ ବିଜେଡି ଚାଲେଞ୍ଜ ଭାବେ ଗ୍ରହଣ କରିଛି। ବିଜେପୁର ଦଖଲ ପାଇଁ ଶାସକ ବିଜେଡି ଆଜି ନବୀନ ନିବାସରେ ମାନସମନ୍ଥନ କରିଛି। ବିଜେପୁରର ‘ଗ୍ରାସରୁଟ୍‌’କୁ ଯାଇ ଲୋକଙ୍କ ନିକଟତର ହେବାକୁ ଦଳ ନିଷ୍ପତ୍ତି ନେଇଛି। ପ୍ରତି ୱାର୍ଡରେ ପଦଯାତ୍ରାକୁ ବ୍ୟାପକ କରାଯିବ ବୋଲି ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
ଗାନ୍ଧି ଜୟନ୍ତୀଠାରୁ ବିଜେଡି ଆରମ୍ଭ କରିଛି ପଦଯାତ୍ରା। ଏହା ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ବିଜେଡି ଏଭଳି ପଦଯାତ୍ରା ଆୟୋଜନ କରି ଲୋକଙ୍କ ନିକଟତର ହେଉଛି। ହେଲେ ଚଳିତ ପଦଯାତ୍ରା ବିଜେଡି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଆଗକୁ ବିଜେପୁର ଉପ-ନିର୍ବାଚନ ଆସୁଥିବାରୁ ପଦଯାତ୍ରାକୁ ବ୍ୟାପକ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଏହାସହ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ଉଦ୍ୟମ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
ବିଜେପୁର ଉପ ନିର୍ବାଚନ ପାଇଁ ବୁଧବାର ନବୀନ ନିବାସରେ ଚାଲିଥିଲା ମନ୍ଥନ। ଏହି ମନ୍ଥନରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାର ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ବିଜେପୁର ପାଇଁ କସରତ ଚାଲିଥିଲା। ବିଜେପୁର ବିଜୟ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ବିଜେପିକୁ ମାତ୍‌ ଦେବା ପାଇଁ ବିଜେଡି ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜେଡି ବିଜେପୁର ପାଇଁ ଗୋଟି ଚାଳନା କରିଥିଲା। ବିଜେଡିର ଏହି ଗୋଟି ବିରୋଧୀ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏଣୁ ବିଜେପି ଅନ୍ୟ କୌଣସି ଉପାୟ ନପାଇ ବିଜେଡିକୁ ସିଧାସଳଖ କାଉଣ୍ଟର କରିବା ପାଇଁ ବରପାଲିରେ କରିଥିଲା ସମାବେଶ। ୩୦ ହଜାର କର୍ମୀଙ୍କୁ ଠୁଳ କରି ଦେଖାଇଥିଲା ଶକ୍ତି। ବିଜେପିର ଶକ୍ତି ପ୍ରଦର୍ଶନ ପରେ ଭୋଟରଙ୍କୁ ଜଗିବା ପାଇଁ ବିଜେଡି ବିଜେପୁରର ପ୍ରତି ୱାର୍ଡରେ ପଦଯାତ୍ରା କରିବ ବୋଲି କହିଛି।

LEAVE A REPLY

Please enter your comment!
Please enter your name here