ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ସହଭାଗିତାରେ ରାଜ୍ୟ ସଂଗ୍ରାହଳୟଠାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ରେକର୍ଡିଂ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ‘ଗୀତିଛାୟା’ ଉଦ୍‌ଘାଟନ ହୋଇଯାଇଛି। ଏହାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ୧୯୩୬ ମସିହାର ପ୍ରଥମ ଚଳଚ୍ଚିତ୍ର ସୀତାବିବାହଠାରୁ ୧୯୮୬ ପର୍ଯ୍ୟନ୍ତ ଓଡ଼ିଆ ମ୍ୟୁଜିକ୍ ରେକର୍ଡିଂ ବେଳର ୮୧ରୁ ଊର୍ଦ୍ଧ୍ୱ ଫଟୋଗ୍ରାଫ୍‌ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି।
ଓଡ଼ିଶାର ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ, ଗାୟିକା ବିଭିନ୍ନ ଷ୍ଟୁଡିଓରେ ଗୀତ ସଂଯୋଜନା ବା ଗାଇବା ବେଳର ଉଠାଯାଇଥିବା ପୁରୁଣା ଫଟୋଗୁଡ଼ିକ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ପାଲଟିଛି।
ପରଦା ପଛର ଏହି ସୃଜନଶୀଳ କାରିଗରଙ୍କୁ ସେତେବେଳେ ସିନେମା ପରଦାରେ ଦେଖିବାକୁ ମିଳି ନଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ କଳାକାର ଆଜି ଦିବଙ୍ଗତ। ସେମାନଙ୍କୁ ଆଉ ଥରେ ଓଡ଼ିଆ ଦର୍ଶକଙ୍କ ନଜରକୁ ଆଣି ଚଳଚ୍ଚିତ୍ରର ସ୍ମୃତି ରୋମାନ୍ଥନ ସହ ବ୍ୟକ୍ତିମାନଙ୍କୁ ନୂଆ ପିଢ଼ିର ଶ୍ରୋତା ଓ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଆରା ଗ୍ୟାଲେରିଟି ଖୋଲା ଯାଇଛି।
ଗ୍ୟାଲେରୀରେ ସ୍ଥାନ ପାଇଥିବା ଫଟୋଗୁଡ଼ିକୁ ଯୋଗାଡ଼ କରିବା ପାଇଁ ଆୟୋଜକମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ପୁରୀ, କଟକ, ସମ୍ବଲପୁର, କୋଲକାତା, ମାଡ୍ରାସ, ମୁମ୍ବାଇ ପରି  ଅନେକ ସ୍ଥାନକୁ ଯାଇ ସଂଗ୍ରାହକମାନେ ଏହି ବିରଳ ଫଟୋସବୁ ଯୋଗାଡ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ଗାୟକ-ଷ୍ଟୁଡିଓର ନାମ ସମେତ ମସିହା ସଠିକ୍ ଭାବେ ଫଟୋରେ ଉଲ୍ଲେଖ କରାଯାଇଛି। ଏହାସହ ଗୀତ ପଛର କାହାଣୀ ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଛି।
କଣ୍ଠଶିଳ୍ପୀ ସ୍ୱର୍ଗତ ଅକ୍ଷୟ ମହାନ୍ତି, ନିଜାମ, ସିକନ୍ଦର ଆଲାମ୍, ତୃପ୍ତି ଦାସ, ପ୍ରଫୁଲ୍ଲ  କର, ଭୁବେନଶ୍ୱର ମିଶ୍ର, କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମୁମ୍ବାଇର ମାନା ଦେ, କିଶୋର କୁମାର, କବିତା କ୍ରିଷ୍ଣମୂର୍ତ୍ତି, ଅନୁରଧା ପଡୱାଲଙ୍କ ପରି ବିଶିଷ୍ଟ କଣ୍ଠଶିଳ୍ପୀଙ୍କର ଫଟୋ ଏବଂ ସେମାନେ କେଉଁ ଚଳଚ୍ଚିତ୍ରରେ କେଉଁ ମସିହାରେ ଗାଇଥିଲେ ତାହା ବର୍ଣ୍ଣନା କରାଯାଇଛି।
ଏହି ଅବସରରେ ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, “ଏହି ଗ୍ୟାଲେରୀରେ ବର୍ତ୍ତମାନ ୮୧ଟିରୁ ଊର୍ଦ୍ଧ୍ୱ ଫଟୋ ସ୍ଥାନ ପାଇଛି। ଆଗାମୀ ଦିନରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କିତ କିଛି ବିରଳ ଫଟୋଗୁଡ଼ିକୁ ଏଥିରେ ସ୍ଥାନ ଦିଆଯିବ। ଓଡ଼ିଶା ସଂଗୀତର କ୍ରମ ବିକାଶ ସମ୍ପର୍କରେ ଏଠାରେ ଦର୍ଶାଯାଇଛି। ଅନେକ କଳାକାର ଏବଂ ଇକ୍ୟୁପମେଣ୍ଟକୁ ଦର୍ଶକମାନେ ଦେଖିପାରିବେ।
ଫିଲ୍ମି ଜର୍ଣ୍ଣାଲିଷ୍ଟ ଫୋରମର ସଦସ୍ୟ ସୂର୍ଯ୍ୟ ଦେଓ କହିଛନ୍ତି, “ସେତେବେଳର କଣ୍ଠଶିଳ୍ପୀମାନେ ଗୋଟିଏ ମାଇକ୍ରୋଫୋନରେ କିପରି ସୁନ୍ଦର ସୁନ୍ଦର ଗୀତ ଗାଉଥିଲେ ତାହା ବର୍ତ୍ତମାନର କଳାକାରଙ୍କୁ ଜଣାଇବା ହେଉଛି ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ୧୯୩୬ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଫଟୋଗୁଡ଼ିକ ଏଥିରେ ସ୍ଥାନ ପଇଛି। ଏହି ବିରଳ ଫଟୋଗୁଡ଼ିକୁ ଯୋଗାଡ଼ କରିବା ପାଇଁ ଆମକୁ ପ୍ରାୟ ୩ ବର୍ଷରୁ ଅଧିକ ସମୟ ଲାଗିଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆ, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ତୃପ୍ତି ଦାସ, ପ୍ରଣବ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଲିତ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ କଳାକାର, କଣ୍ଠଶିଳ୍ପୀ, ପ୍ରଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here