ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ପରେ ଦିନ ଗଡ଼ୁଛି। ହେଲେ କଟକରୁ କାଠମାଣ୍ଡୁ ଅଭିମୁଖେ ଦୁଃସାହସିକ ସାଇକେଲ ଯାତ୍ରାରେ ଯାଇଥିବା ୮ ଜଣିଆ ଟିମଙ୍କ ସାଇକେଲ ଅଟକୁନି। ଗୋଟିଏ ଲକ୍ଷ୍ୟରେ ଏମାନେ ମାଡ଼ି ଚାଲିଛନ୍ତି ଆଗକୁ। ବଣ, ଜଙ୍ଗଲ ଓ ଖାଲଢ଼ିପ ରାସ୍ତାକୁ ପାର କରି ଏମାନେ ୬ ତାରିଖରେ ପହଞ୍ଚିଥିଲେ ଉତ୍ତରପ୍ରଦେଶର ଗୋରଖପୁରରେ। ସୁଦୁର କଟକରୁ ଯାଇଥିବା ଏହି ଯାତ୍ରୀଙ୍କୁ ସଶସ୍ତ୍ର ସୀମା ବଳର ଯବାନମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ ତାଙ୍କ ଅତିଥି ଭବନକୁ। ଏଠାରେ ସେମାନେ ରାତ୍ରିଯାପନ କରିବା ପରେ ସକାଳୁ ପୁଣି ଲକ୍ଷ୍ୟପଥରେ ଆଗେଇ ଯାଇଥିଲେ।
୬ ତାରିଖ ସକାଳୁ ଦୁଃସାହସିକ ସାଇକେଲ ଯାତ୍ରୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା ଆଜମଗଡ଼ରୁ। ୧୨୩ କିମି ରାସ୍ତାକୁ ଅତିକ୍ରମ କରି ଗୋରଖପୁରରେ ପହଞ୍ଚିଥିଲେ। ରାସ୍ତାରେ କ୍ଲାନ୍ତି ଦୂର କରିବା ପାଇଁ କେବଳ ଲେମ୍ବୁ ପାଣି, ଗ୍ଲୁକୋଜ ଆଦି ପିଇବା ସହ ରାସ୍ତା କଡ଼ରେ ଥିବା ଟ୍ୟୁବ୍‌ୱେଲରେ ମୁହଁ ଧୋଉଥିଲେ। ଦିନସାରା ଲେମ୍ବୁ, ଗ୍ଲୁକୋଜ ପାଣି ପିଇ ପିଇ ଏମାନେ ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଗୋରଖପୁରରେ ପହଞ୍ଚି ସାରିଥିଲେ।
ସାଇକେଲ ଯାତ୍ରୀଙ୍କ ଆସିବା ଖବରପାଇ ସଶସ୍ତ୍ର ସୀମା ବଳର ଯବାନମାନେ ତାଙ୍କୁ ସ୍ୱାଗତ କରିବା ଲାଗି ଅପେକ୍ଷା କରିଥିଲେ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାଦେଇ ଅତିଥିଭବନକୁ ପାଛୋଟି ନେଇଥିଲେ। ଗୋରଖପୁରରେ ହିଁ ସେମାନେ ଲଞ୍ଚ କରିଥିଲେ ଏବଂ ରାତ୍ରିଯାପନ କରିଥିଲେ।

LEAVE A REPLY

Please enter your comment!
Please enter your name here