ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶାନ୍ତ ହୋଇଯାଇଥିବା ବାଣୀବିହାର କ୍ୟାମ୍ପସ୍‌ରେ ଶାନ୍ତି ପାଇଁ ଅନଶନ। ଏଭଳି ଅଭିନବ ପଦକ୍ଷେପ ଆରମ୍ଭ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ। କିଛି ଅଧ୍ୟାପକ ଏବଂ ଛାତ୍ରଙ୍କ ଗହଣରେ କୁଳପତି ନୀରବ ଅନଶନରେ ବସିବା ଘଟଣା ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ଏହି ଅବସରରେ ଭିସି କହିଛନ୍ତି ଯେ, “କ୍ୟାମ୍ପସରୁ ହିଂସା ଦୂର ପାଇଁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ। କ୍ୟାମ୍ପସ୍‌ରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ଲାଗି ଅନଶନର ପନ୍ଥା ଆପଣା ଯାଇଛି।”
ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ୨୦ ଦିନ ହେଲା ବନ୍ଦ ରହିଥିବା ବାଣୀବିହାରରେ ସୋମବାର ପୁଣି ଉତ୍ତେଜନା ଦେଖାଦେଇଥିଲା। ନିର୍ବାଚନ କରିବା ଦାବିରେ ଛାତ୍ର ନେତାମାନେ ପୁଣି କ୍ୟାମ୍ପସକୁ ଅଶାନ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ପିଜି କାଉନସିଲ୍‌ ଚେୟାରମ୍ୟାନ୍ ବ୍ରହ୍ମାନନ୍ଦ ଶତପଥୀଙ୍କୁ ପିଲାମାନେ ଘେରାଉ କରିଥିଲେ।
ପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ଅଶାନ୍ତ ହୋଇ ଯାଇଥିଲା। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କ୍ୟାମ୍ପସ୍‌ରେ ବୋମା ମାଡ଼ ହୋଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବା ସହ ସାଇନ୍-ଏ-ଡାଏ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here