ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଘଟିଛି ବର୍ବରଚିତ କାଣ୍ଡ। ଜଙ୍ଗଲ ଭିତରେ ଜଣେ ନାବାଳିକା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର। ଏହି ଘଟଣାରେ ସିଆର୍‌ପିଏଫ୍‌ ଯବାନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ହେଲେ ସିଆର୍‌ପିଏଫ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।
ପୀଡିତା ଜଣକ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୁନ୍ଦୁଲି ହାଟକୁ ପାସପୋର୍ଟ ଫଟୋ ଉଠାଇବାକୁ ଭାଇଙ୍କ ସହ ଯାଇଥିଲେ। ଫଟୋ ଉଠାଇ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ତେବେ କିଛିବାଟ ଅଟୋରେ ଆସିବା ପରେ ଉଭୟ ଚାଲି ଚାଲି ଆସିଥିଲେ। ଭାଇ-ଭଉଣୀ ସୋରିଷପଦା ଜଙ୍ଗଲ ଦେଇ ଆସୁଥିବା ବେଳେ ୪ ଜଣ ଯୁବକ ମୁହଁରେ ଓଢ଼ଣୀ ଘୋଡ଼ାଇ ନାବାଳିକାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଯୁବକମାନେ ଯବାନଙ୍କ ପୋଷାକ ପିନ୍ଧିଥିବା ପୀଡ଼ିତାର ଭାଇ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ସିଆର୍‌ପିଏଫ୍‌ ଡିଆଇଜି ଅପରେସନ୍‌ ରାମ ଚରିତ୍ର କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ପାଇବା ମାତ୍ରେ ମୁଁ ଯବାନ କ୍ୟାମ୍ପ ସହ କଥା ହୋଇଛି। ପ୍ରାଥମିକ ଅନୁସନ୍ଧାନ କରିଛି।
ଏପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ କୁନ୍ଦୁଲିଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପୁର-ବିଶାଖାପାଟଣା ମଧ୍ୟରେ ଯାତାୟାତରେ ବାଧା ଉପୁଜିଛି।

LEAVE A REPLY

Please enter your comment!
Please enter your name here