ଓଡ଼ିଶାଲାଇଭ୍‌ ବ୍ୟୁରୋ
ଆଜି ଜନ୍ମଦିନ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ବିଜେଡି କର୍ମୀ ଓ ନେତାଙ୍କ ଗହଣରେ କେକ୍‌ କାଟି ସେଲିବ୍ରେସନ୍‍ କରିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସକାଳୁ ନବୀନ ନିବାସରେ ଗହଳି ଲାଗିଛି। ନେତା, କର୍ମୀ, ସାଧାରଣ ଲୋକଙ୍କ ସମେତ ସ୍କୁଲ ପିଲାମାନେ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଅନ୍ୟ ରାଜନେତାମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି|
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ସ୍ୱତନ୍ତ୍ର ବାଲୁକା କଳା ପ୍ରସ୍ତୁତ କରିଛନ୍ତି।
ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରେ ୧୯୯୭ ଆସ୍କା ଉପ-ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇ ରାଜନୈତିକ ଇନିଂସ୍‍ ଆରମ୍ଭ କରିଥିଲେ ନବୀନ। ପରେ ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ|
୨୦୦୦ ମସିହା ବିଧାନସଭା ନିର୍ବାଚନରେ ତାଙ୍କ ନେତୃତ୍ୱରେ ବିଜେଡି, ସହଯୋଗୀ ବିଜେପି ସହ ସରକାର ଗଠନ କରିଥିଲେ| ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏଇଠୁ ଆରମ୍ଭ କରିଥିଲେ ତାଙ୍କର ନୂଆ ଇନିଂସ୍‍| ଲଗାତାର ୪ ଥର ମୁଖ୍ୟମନ୍ତ୍ରୀ ରହି ଓଡ଼ିଶାର ରାଜନୈତିକ ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ।
ବିଭିନ୍ନ ଲୋକାଭିମୁଖୀ ଯୋଜନା, ପ୍ରଶାସନିକ ସଂସ୍କାର, ବିଶେଷକରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମ ଚାଲୁକରି ସାଧାରଣରେ ନିଜର ଲୋକପ୍ରିୟତା ବଜାୟ ରଖିବାରେ ସକ୍ଷମ ହୋ‍ଇଛନ୍ତି ନବୀନ| ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ସୁନଶ୍ଚିତ କରିବା ପାଇଁ ଟଙ୍କିକିଆ ଚାଉଳ, ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ମମତା ଯୋଜନାରେ ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ, ଆଦିବାସୀ ବିକାଶ, ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଛାତ୍ରଛାତ୍ରୀମାନଙ୍କ ପାଇଁ ମେଧାବୀ ବୃତ୍ତି ଓ ଉଚ୍ଚଶିକ୍ଷା ଋଣ, ବେକାର ଯୁବକଯୁବତୀଙ୍କ ପାଇଁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ତଥା ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଲାଗୁକରି ପ୍ରଶାସନିକ ଦକ୍ଷତା ପାଇଁ ଉଦ୍ୟମ କରିଆସୁଛି ତାଙ୍କ ସରକାର|
ବିଜୁ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ରୂପେ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ|

LEAVE A REPLY

Please enter your comment!
Please enter your name here