ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ସବୁଠାରୁ ସୁରକ୍ଷିତ ସହରର ମାନ୍ୟତା ପାଇଛି ଜାପାନର ରାଜଧାନୀ ଟୋକିଓ। ସୁରକ୍ଷିତ ସହର ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି ସିଙ୍ଗାପୁର ଏବଂ ଜାପାନର ଓସାକା ରହିଛି ତୃତୀୟ ନମ୍ବର ସ୍ଥାନରେ। ‘ଦ ଇକୋନମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ’ର ସୁରକ୍ଷିତ ସହର ଇଣ୍ଡେକ୍ସ-୨୦୧୭ରେ ଏହି ତଥ୍ୟ ପ୍ରକାଶ ପାଇଛି।
ବିଶ୍ୱର ୬୦ଟି ସହରକୁ ନେଇ କରାଯାଇଥିବା ସର୍ଭେରେ ସବୁଠୁ କମ୍ ସୁରକ୍ଷିତ ସହରର ଆଖ୍ୟା ପାଇଛି ପାକିସ୍ତାନର କରାଚୀ। ସୁରକ୍ଷିତ ସହର ତାଲିକାରେ ଦିଲ୍ଲୀ ୪୩ ନମ୍ବରରେ ଥିବାବେଳେ ମୁମ୍ବାଇ ରହିଛି ୪୫ତମ ସ୍ଥାନରେ।
ସବୁଠୁ ୧୦ଟି ସୁରକ୍ଷିତ ସହର ମଧ୍ୟରେ ଏସିଆର ୪ଟି ସହର ରହିଛି।
ପ୍ରଥମ ୧୦ଟି ପ୍ରମୁଖ ସୁରକ୍ଷିତ ସହର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି କାନାଡାର ଟରୋଣ୍ଟୋ। ପଞ୍ଚମରେ ମେଲବର୍ନ (ଅଷ୍ଟ୍ରେଲିଆ), ଷଷ୍ଠରେ ଏମଷ୍ଟର୍ଡମ (ନେଦରଲ୍ୟାଣ୍ଡ), ସପ୍ତମରେ ସିଡନୀ (ଅଷ୍ଟ୍ରେଲିଆ), ଅଷ୍ଟମରେ ଷ୍ଟକହୋମ (ସ୍ୱୀଡେନ), ନବମରେ ହଙ୍ଗକଙ୍ଗ ଏବଂ ଦଶମରେ ରହିଛି ଜ୍ୟୁରିକ୍ (ସ୍ୱିଜରଲ୍ୟାଣ୍ଡ)।
ସେହିପରି କମ ସୁରକ୍ଷିତ ସହର ତାଲିକାରେ କରାଚୀ ତଳକୁ ରହିଛି ମ୍ୟାନମାରର ୟଂଗୁନ। ତିନି ନମ୍ବରରେ ରହିଛି ବାଙ୍ଗଲାଦେଶର ଢାକା। ଚତୁର୍ଥ ଅସୁରକ୍ଷିତ ସହରର ଅପଖ୍ୟାତି ପାଇଛି ଇଣ୍ଡୋନେସିଆର ଜାକର୍ତ୍ତା। ପଞ୍ଚମ ସ୍ଥାନରେ ରହିଛି ଭିଏତନାମର ହୋ ଚି ମିନ୍ସ ସହର। ଇରାନ ତେହେରାନ ରହିଛି ନବମ ସ୍ଥାନରେ।
ତେବେ ଭାରତର ସହର ଅପେକ୍ଷା ଚୀନର ଦୁଇ ସହର ବେଜିଂ ଓ ସାଂଘାଇ ତାଲିକାର ଆଗରେ ରହିଛି। ୩୨ ନମ୍ବର ସ୍ଥାନରେ ବେଜିଂ ରହିଥିବାବେଳେ ସାଂଘାଇ ରହିଛି ୩୪ତମ ସ୍ଥାନରେ।
ଗତ ଥରର ସର୍ଭେ ଅପେକ୍ଷା ଉଭୟ ଦିଲ୍ଲୀ ଓ ମୁମ୍ବାଇ ଗୋଟିଏ ଗୋଟିଏ ସ୍ଥାନ ପଛକୁ ଯାଇଛନ୍ତି।
୨୦୧୫ ସର୍ଭେ ଅପେକ୍ଷା ବିଶ୍ୱର ଅଧିକାଂଶ ସହରର ସୁରକ୍ଷା ସ୍ତରରେ ହ୍ରାସ ଘଟିଛି।
୪୯ ମାନଦଣ୍ଡ ଆଧାରରେ ସର୍ଭେ କରାଯାଇଥିଲା। ଏଥିରେ ବ୍ୟକ୍ତିଗତ ସୁରକ୍ଷା, ଡିଜିଟାଲ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ଆର୍ଥିକ ସୁରକ୍ଷା ଏବଂ ଭିତ୍ତିଭୂମି ସୁରକ୍ଷା ଆଦି ମାନଦଣ୍ଡକୁ ବିଚାର କରାଯାଇଥିଲା।

Comment