ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା। ନିଜ ସ୍କୁଲ ବଦଳରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷଠାରୁ ଅନ୍ୟ ସ୍କୁଲରେ ପରୀକ୍ଷା ଦେବେ। ତେବେ ପରୀକ୍ଷା କେନ୍ଦ୍ର ୫ କି ମି ଦୂରତା ମଧ୍ୟରେ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି। ମାଟି୍ରକ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି।
ବଦ୍ରୀନରାୟଣ ପାତ୍ର କହିଛନ୍ତି, “ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ନେଉଛନ୍ତି। କପି ରୋକିବା ପାଇଁ ଏଣିକି ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ ନାହିଁ।”
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ଦୁଇଟି ସ୍କୁଲ ମଧ୍ୟରେ ପରୀକ୍ଷା କେନ୍ଦ୍ର ଅଦଳ ବଦଳ ହୋଇପାରିବ।
ପୂର୍ବରୁ ଏହି ବ୍ୟବସ୍ଥା ପ୍ରଚଳିତ ଥିଲା। ପିଲାମାନେ ନିଜ ସ୍କୁଳରେ ମାଟ୍ରିକ ପରୀକ୍ଷା ନଦେଇ ଅନ୍ୟ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ହେଲେ କିଛିବର୍ଷ ହେଲା ଏହି ଢାଞ୍ଚାରେ ପରିବର୍ତ୍ତନ ଆଣିଥିଲେ ସରକାର। ପିଲାଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ପାଇଁ ସରକାର ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିର୍ଦ୍ଦଶେ ଦେଇଥିଲେ।

 

Comment