ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଝାରସୁଗଡ଼ାକୁ ଉଡ଼ିବ ବିମାନ। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉଡାଣ ପ୍ରକଳ୍ପ ସଂକ୍ରାନ୍ତୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଆଞ୍ଚଳିକ ଏୟାରଷ୍ଟ୍ରିପ୍‌ରେ ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଗାମୀ ଦିନରେ ଆହୁରି ୮୮ ପୋଲିସ ଅଧିକାରୀଙ୍କ ସହ ୭ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ରାଉରକେଲାକୁ ବିମାନ ଉଡ଼ାଣ ପାଇଁ ୨ରୁ ୩ ମାସ ସମୟ ଲାଗିବ। ମାତ୍ର ଜୟପୁର ଓ ଉତ୍କେଲାକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଉଡ଼ାଣ ହେବ। ରାଉରକେଲାରେ ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଜୟପୁର ଓ ଉତ୍କେଳା ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଏବଂ ଏଏଆଇ ଦ୍ବାରା ସମ୍ପନ୍ନ ହେବ। ପ୍ରତି ଏୟାରପୋର୍ଟରେ ୪୪ ପୋଲିସ କର୍ମଚାରୀଙ୍କ ସମେତ ୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସର୍ବନିମ୍ନ ମୂଲ୍ୟରେ ବିଜୁଳି ଓ ଜଳ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏସବୁ ଏୟାରପୋର୍ଟ କାର୍ଯ୍ୟକ୍ଷମ ହେଲେ ୨୫୦୦ ଟଙ୍କାରେ ଯାତ୍ରୀ ବିମାନ ସୁବିଧା ପାଇପାରିବେ।

 

Comment