ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦମୋଦର ରାଉତ। ଯାଜପୁରରେ ଏକ ସାଧାରଣ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଟିପ୍ପଣୀ ଦେଇ ଅଡ଼ୁଆରେ ପଡିଛନ୍ତି ଏହି ନେତା।

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପିଛା ଛାଡ଼ୁନି ବିବାଦ। ବିଭିନ୍ନ ସମୟରେ ଦାମ ଏମିତି କିଛି ମନ୍ତବ୍ୟ ଦେଉଛନ୍ତି, ଯେଉଁଥିପାଇଁ ସେ ନିଜେ ଏବଂ ତାଙ୍କ ଦଳ ପରବର୍ତ୍ତୀ ସମୟରେ ଅଡ଼ୁଆରେ ପଡ଼ୁଛି। ନିକଟରେ କଂଗ୍ରେସ ସହ ବିଜେଡିର ମେଣ୍ଟ କଥା କହି ଅଡ଼ୁଆରେ ପଡ଼ିଥିବା ଦାମ ଏବେ ଆଉ ଏକ ନୂଆ ବିବାଦ ସହ ଯୋଡ଼ି ହୋଇଛନ୍ତି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କଟାକ୍ଷ କରି ଦାମ ଅଡ଼ୁଆରେ ପଡ଼ିଛନ୍ତି।
ଯାଜପୁରରେ ବିଜେଡି ପକ୍ଷରୁ ଚାଲିଥିଲା ପଦଯାତ୍ରା। ଏଥିରେ ଯୋଗ ଦେଇଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଏହି ପଦଯାତ୍ରାରେ ଦାମ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ ଟିପ୍ପଣୀ ଦେଇଥିଲେ। କହିଥିଲେ, ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’। ଏହି ମନ୍ତବ୍ୟ ଏବେ ଦାମଙ୍କ ପାଇଁ ମହଙ୍ଗା ପଡ଼ିଛି। ଲେଖାଶ୍ରୀ ଏହି ଟିପ୍ପଣୀକୁ ନେଇ ଦାମଙ୍କୁ ଜବାବ ଦେଇଥିବା ଆଜି ବିଜେପି ମହିଳା ମୋର୍ଚ୍ଚା ଦାମଙ୍କୁ ଆଟାକ୍ କରିଛି। ୨୪ ଘଣ୍ଟା ମଧ୍ୟରେ ଦାମବାବୁ କ୍ଷମା ମାଗନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଦାବି କରିଛନ୍ତି।
ଲେଖାଶ୍ରୀ କହିଛନ୍ତି, “ସର୍ବସାଧାରଣରେ ଏଭଳି ମନ୍ତବ୍ୟ ରାଜନୈତିକ ଅସହିଷ୍ଣୁତାର ପରିଚୟ। ମହିଳାମାନଙ୍କ ପ୍ରତି ଏଭଳି ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କ ଶିକ୍ଷା ଦୀକ୍ଷା କେତେ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହି ମନ୍ତବ୍ୟ ପାଇଁ ମୁଁ ତାଙ୍କୁ କ୍ଷମା କରିଦେଉଛି।”
ଅକ୍ଟୋବର ୧୩ ତାରିଖରେ ମଧ୍ୟ ଦାମ-ଲେଖାଶ୍ରୀ ମୁହାଁମୁହିଁ ହୋଇଥିଲେ। ରାଜ୍ୟ ସରକାରଙ୍କ ବିଫଳତାକୁ ଆଧାର କରି ଲେଖାଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର କହିଥିବା ବେଳେ ଡାକ୍ତର ରାଉତଙ୍କୁ ଶ୍ରୀଖଣ୍ଡି କହିଥିଲେ। ଏହାକୁ ନେଇ ସେତେବେଳେ ରାଜନୀତି ସରଗରମ ରହିଥିଲା। ଲେଖାଶ୍ରୀଙ୍କ ଶ୍ରୀଖଣ୍ଡୀ ମନ୍ତବ୍ୟର ଜବାବ ଯାଜପୁରରେ ଦେଇଛନ୍ତି ଦାମ।
କିଛିଦିନ ତଳେ ଏକ ଗଣମାଧ୍ୟମରେ ମଧ୍ୟ ଦାମ ତତ୍କାଳୀନ କଂଗ୍ରେସ ନେତ୍ରୀ ସୁଲୋଚନା ଦାସଙ୍କ ଉପରେ ନକରାତ୍ମକ ଟିପ୍ପଣୀ ଦେଇଥିଲେ। ସେତେବେଳେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲା। ଦାମବାବୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲା। ଏବେ ପୁଣି ଦାମ ମହିଳା ନେତ୍ରୀଙ୍କୁ କଟାକ୍ଷ କରି ଅଡ଼ୁଆରେ ପଡ଼ିଛନ୍ତି।

Comment