ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଜି ଦିଲ୍ଲୀ ଏମ୍‌ସ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି। ଉଭୟ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍‌ସ ତରଫରୁ କୁହାଯାଇଛି। ତେବେ କାଳିଆ ଅପେକ୍ଷା ଜଗାର ଦେହ ଭଲ ରହିଥିବା ପ୍ରେସ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି। ଜଗାକୁ ଡାକିଲେ ସେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଜଣାପଡ଼ିଛି। ଉଭୟଙ୍କ ସ୍ୱାସ୍ଥ୍ୟ ଉପରେ ୧୫ ଜଣ ଡାକ୍ତର ନଜର ରଖିଥିବା ଏମ୍‌ସ ତରଫରୁ କୁହାଯାଇଛି। ଜଗା-କାଳିଆ ଆଉ ୭ରୁ ୧୦ ଦିନ ଆଇସୁୟୁରେ ରହିବେ ବୋଲି ଜଣାପଡ଼ିଛି।
୨୫ ତାରିଖରେ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ହୋଇଥିଲା। ୧୧ ଘଣ୍ଟା ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ଅଲଗା କରାଯିବା ପରେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ୭୨ ଘଣ୍ଟା ଅବଜରଭେସନ୍‌ରେ ରହିବା ପରେ ଉଭୟଙ୍କୁ ଆଇସିୟୁରେ ରଖାଯାଇଛି।
ଅଗଷ୍ଟ ୨୬ ତାରିଖରେ ୪୦ ଜଣିଆ ଡାକ୍ତରୀ ଟିମ୍ ୨୦ ଘଣ୍ଟା ଧରି ଅପରେସନ୍ କରିଥିଲେ। ଏହା ଥିଲା ପ୍ରାଥମିକ ପର୍ଯ୍ୟାୟ ଅପରେସନ୍। ଏହି ଟିମ୍‌ରେ ଜାପାନରୁ ଆସିଥିବା ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ। ଫୁଲବାଣୀର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଡିରୁ ୧ କୋଟି ଟଙ୍କାର ସହାୟତା ଦେଇଥିଲେ। ଜଗା-କାଳିଆ ଆରୋଗ୍ୟ କାମନା କରି ଓଡ଼ିଶାରେ ପୂଜାର୍ଚ୍ଚନା କରାଯାଇଥିଲା।

Comment