ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ବୈଠକ
  • ପ୍ରଦୂଷଣ ରୋକିବା ପାଇଁ ଚାଲିଛି ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ
  • ପ୍ଲାଣ୍ଟ ପାଇଁ ୮୦୦ କୋଟିର ବ୍ୟୟବରାଦ
  • ଦୟାରେ ମିଶୁଛି ଗଙ୍ଗୁଆ ନାଳର ଦୂଷିତ ପାଣି
“ଭୟଙ୍କର ଭାବେ ପ୍ରଦୂଷିତ ହୋଇଛି ଐତିହାସିକ ଦୟା ନଦୀ ପାଣି। ଏହା ଚାଷ କିମ୍ବା ପିଇବା ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଏଥିପାଇଁ ଲୋକଙ୍କୁ ସଚେତନ କରାଯିବ”,- ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।
ନଦୀ ପ୍ରଦୂଷଣକୁ ରୋକିବା ପାଇଁ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ଓଡ଼ିଶାର ବିଭିନ୍ନ ନଦୀର ପ୍ରଦୂଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ହେଲେ ଭୁବନେଶ୍ୱର ଦେଇ ବହି ଯାଇଥିବା ଐତିହାସିକ ଦୟା ନଦୀ ପ୍ରଦୂଷଣମୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଦୟା ନଦୀରେ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ପଡ଼ୁଥିବାରୁ ଏହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରଦୂଷଣ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଜାରି ରହିଛି। ଏଥିପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଦୟା ନଦୀ ସହ ଭାର୍ଗବୀ, ଲୁଣା, ରତ୍ନହୀରା ନଦୀ ଜଳର ପ୍ରଦୂଷଣ ସମସ୍ୟା ନେଇ ବିଷଦ ଭାବେ ଆଲୋଚନା କରାଯାଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here