ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହେଶ୍ଵର ମହାନ୍ତି ଜଣେ ଲୋକପ୍ରିୟ ଜନନେତା ଭାବେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ରହିଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରିରଖିବ। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ସେ ମହେଶ୍ଵର ମହାନ୍ତିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, “ମହେଶ୍ଵର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା। ମୁଁ ତାଙ୍କଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାରର ସମ୍ମାନଜନକ ‘ଉତ୍କଳମଣି ଗୋପବନ୍ଧୁ ପ୍ରତିବା-୨୦୦୩’ ପୁରସ୍କାର ଗ୍ରହଣ କରିଥିଲି। ତାଙ୍କ ସହ ଥିବା ମୋର ସ୍ମୃତି ସ୍ମରଣୀୟ ହୋଇରହିବ।”

ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଶୋକବ୍ୟକ୍ତ କରିଥିବାବେଳେ ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଏହା ସହ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବିଶିଷ୍ଟ ବକ୍ତି ବିଶେଷ ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିବା ସହ ସ୍ଵର୍ଗତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଦିନ ମହେଶ୍ଵର ମହାନ୍ତିଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ହୋଇ ସେ ଚିକିତ୍ସିତର ହେଉଥିଲେ।

ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଡାକ୍ତରଖାନାରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ରଖାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶଙ୍ଖଭବନ ପରେ ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏଠାରେ ବିଭିନ୍ନ ଦଳର ନେତା ସ୍ଵର୍ଗତଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବିଧାନସଭାରେ ଗାର୍ଡ ଅଫ ଅନର୍ ଦିଆଯିବାପରେ ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଏବେ ପୁରୀ ଅଭିମୁଖେ ନିଆଯାଥିଇଛି। ପୁରୀସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ମଙ୍ଗଳବାର ଅପରାହ୍ଣରେ ସ୍ୱର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Tags: #MaheswarMohanty #Politician #Politics #BJD #Puri #Odisha

Comment