ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବାଣ୍ଠପୁର ପଞ୍ଚାୟତରୁ ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ୍‌ ହୋଇଥିଲେ। ବାଣ୍ଠପୁରରୁ ଏହି ପଦଯାତ୍ରା ରାବରା ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା। ବିଜେଡିର ନେତା ଓ କର୍ମୀ ହାତରେ ଦଳୀୟ ପତାକା ଧରି ପ୍ରାୟ ୨୭ କିମି ପଦଯାତ୍ରାରେ ଯାଇ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ।
ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ବିଜେଡି ପକ୍ଷରୁ ଏହି ଅଭିନବ ଉଦ୍ୟମ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ନୟାଗଡ଼ ବ୍ଲକରେ ଗତ ୨୧ ତାରିଖରେ ଭାଟସାହି ପଞ୍ଚାୟତରୁ ଆରମ୍ଭ ହୋଇଥିଲା। ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଏହା ଶେଷ ହୋଇଥିଲା। ଏହି ବ୍ଲକରେ ପ୍ରାୟ ୯୮ କି ମି ପଦଯାତ୍ରା ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆଗାମୀ ଦିନରେ ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲୁ ରହିବ।

Comment