ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭକ୍ତି ସଙ୍ଗୀତ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ନିଆଯାଇଛି ଅଭିନବ ଉଦ୍ୟମ। ଏହିକ୍ରମରେ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ ସ୍ପନ୍ଦନ। ଏହାର ଶୀର୍ଷକ ଥିଲା ‘ଓଡ଼ିଆ ସଂସ୍କୃତିରୁ ଆଉ ପଦେ’। ଏହି ଭକ୍ତିଭାବ ଭରା ନିଆରା କାର୍ଯ୍ୟକ୍ରମ ସିଙ୍ଗାପୁରର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅପୂର୍ବ ଶିହରଣ।

ଅନ୍ତର୍ଜାତୀୟ କୃଷ୍ଣ ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ମହିମା ଗାନ କରି ଆରମ୍ଭ କରିଥିଲେ ଉତ୍ସବ। ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଯୋଗଦେଇଥିଲେ।

ଏହି ଅବସରରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ, “ସିଙ୍ଗାପୁରରେ ଓଡ଼ିଶାର ମହାନ୍ କଳା, ସଂସ୍କୃତିକୁ ଉଜ୍ଜୀବୀତ କରି ରଖିବାରେ ସିଙ୍ଗାପୁର ଓଡ଼ିଆ ସମାଜର ଉଦ୍ୟମ ପ୍ରଶାଂସନୀୟ। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରବାସୀ ଓଡ଼ିଆ ଏଭଳି ଉଦ୍ୟମ ଜାରି ରଖନ୍ତୁ।”

ଏହି ଉତ୍ସବରେ ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲି ଭକ୍ତି ସଙ୍ଗୀତ ପରିବେଷଣ କରି ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଭକ୍ତି ସଙ୍ଗୀତ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଭକ୍ତି ସଙ୍ଗୀତରେ ଉପସ୍ଥିତ ଶ୍ରୋତା ଝୁମିଥିଲେ।

ପୁରୀଠାରୁ ୩ ହଜାର କିମି ଦୂର ସିଙ୍ଗାପୁର ମାଟିରେ ଅରବିନ୍ଦ ମୁଦୁଲିଙ୍କ ଭଜନ ପରିବେଷଣ ପ୍ରବାସୀ ଓଡ଼ିଆଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିଥିଲା। ଗୋଟିଏ ପରେ ଗୋଟିଏ ଭଜନ ଗାଇ ସେ ପ୍ରବାସୀ ଓଡ଼ିଆଙ୍କୁ ବିଭୋର କରିଥିଲେ।

Comment